ମୋର ବାଲ୍ୟକାଳ
ମୋର ବାଲ୍ୟକାଳ
ହେ ଈଶ୍ଵର !
ଫେରାଇ ଦେବ କି ମୋତେ ମୋର ବାଲ୍ୟକାଳ !
ଜୀବନର ପ୍ରଥମ ସୋପାନ
ଚପଳା ଚଞ୍ଚଳା
ନିର୍ଲିପ୍ତ ଚାହାଣି, ନିର୍ଭୀକ ଭାବନା।
ପ୍ରଶାନ୍ତ ଓ ସରଳ ଜୀବନ
ଶୋଇଯିବି ମା' କୋଳରେ
ମା'ର ପଣତକାନୀ ସ୍ନେହ ଆଢୁଆଳେ
ହସୁଥିବି,କାନ୍ଦୁଥିବି।
ଗଢୁଥିବି ବାଲିଘର
ଜାଣେ,
ବାଲିଘର ଭାଙ୍ଗିଯିବ କିଛି କ୍ଷଣ ପରେ
ହେଲେ,
ନ ଭାଙ୍ଗୁ କାହାରି ହୃଦୟ।
ଏଠି,ମୋତେ ନିତି ଖେଳିବାକୁ ପଡେ
କପଟପାଶାର ପ୍ରତାରଣା, ଛଳନାର ଖେଳ।
ପ୍ରବଞ୍ଚନା ଆଉ ଆତ୍ମଶ୍ଳାଘା,
ମିଛ ଗାରିମାରେ ପ୍ରଫୁଲ୍ଲିତ।
ହେ ଈଶ୍ଵର !
ବାଲ୍ୟକାଳ ଢେର୍ ଗରୀୟାନ୍
ସେଇ ମୋର ଉଲଙ୍ଗ ଜୀବନ
ସେଇ ନଗ୍ନତାରେ ଥିଲା ନିର୍ମଳ ଆନନ୍ଦ।
ଏବେ ମୁଁ ବସ୍ତ୍ରାରୂଢ଼।
କିନ୍ତୁ,
ନଗ୍ନ ଚିନ୍ତାଧାରା।
ସଭ୍ୟତା ଭିତରେ ଅସଭ୍ୟ ହୁଙ୍କାର ।