ଲାଳିତ୍ୟ ଲାବଣ୍ୟ ଝରେ
ଲାଳିତ୍ୟ ଲାବଣ୍ୟ ଝରେ
ସାହିତ୍ୟ ପ୍ରାନ୍ତର ସ୍ୱାଧୀନ ଖେଳାଳୀ
ନିଜସ୍ୱ ଭିତ୍ତିରେ
ରହିଛି ମୁଁ, ରହିଥିବି ।
ମୁକ୍ତ ଆକାଶର ବିହଙ୍ଗମ ପରି
ସ୍ୱାଧୀନ ଭାବରେ
ଲେଖୁଛି ମୁଁ, ଲେଖୁଥିବି ।
କବିତା ଯେ ମୋ'ର କଳ୍ପଲତା ପରି
ନରମି ନରମି
ନୂଆ ରୂପ ନେଉଥିବ ।
ଆସୁ ପଛେ ଯେତେ ବାଧା ଅର୍ଗଳ
ସଂକୀର୍ଣ୍ଣ ନୁହେଁ,ସେ
ଵିସ୍ତୀର୍ଣ୍ଣ ତା'ର ଶୈଶବ।
କାହା ଇଙ୍ଗିତରେ ନାଚିବ ନାହିଁ ମୋ
କ୍ଷୀପ୍ର ଲେଖନୀ,
ନମ୍ର ତା' ଅଭିମାନ ।
ଅଭିମନ୍ୟୁ ପରି ଆତ୍ମ ଅଭିମାନୀ
ଆଦର୍ଶ ସ୍ୱଭାବ
କୁଣ୍ଡ କୁଣ୍ଡ ସ୍ୱାଭିମାନ ।
କବିତା କଲ୍ଲୋଳ ପରିଧି ବିଶାଳ
ସଂକୀର୍ଣ୍ଣତା ନେଇ
ବଞ୍ଚି ସେ ପାରିବ ନାହିଁ ।
ସ୍ଵର୍ଗୀୟ ସମ୍ମାନ ଅଟେ ତା' ଆସନ
ନ୍ୟସ୍ତ ସ୍ୱାର୍ଥୀ ପାଇଁ
ତା'ପାଖେ ସମୟ କାହିଁ !
କବିତା କୋମଳ କବି ଶତଦଳ
ଲାଜକୁଳୀ ସତ
ତଥାପି ଦୁର୍ବଳ ନୁହେଁ ।
ନିର୍ଭୀକ,ନିଶ୍ଚଳ ସ୍ପଷ୍ଟବାଦୀ ହୋଇ
ସଂସ୍କାର ସମ୍ଭାର
ତା' ଜାତକ ବାଣ୍ଟି ଦିଏ ।
କଥାରେ କଥାରେ ,ଭାଷାରେ ଭାଷାରେ
ଶବ୍ଦରେ ଶବ୍ଦରେ
ସମ୍ମାନର ସୁରେ ସୁରେ ।
ଗାଇ ଦେଇ ଯାଏ ସୃଷ୍ଟିର ଗୌରବ
ସେ ଗୀତି ଛନ୍ଦରେ
ଲାଳିତ୍ୟ ଲାବଣ୍ୟ ଝରେ ।
ହେ ମୋ' ପ୍ରିୟ ବନ୍ଧୁ,ସାରସ୍ୱତ ସିନ୍ଧୁ
ତେଜି ସଂକୀର୍ଣ୍ଣତା
ସୃଜନରେ ଲାଗିଯାଅ ।
ବ୍ୟକ୍ତିରେ,ବ୍ୟକ୍ତିରେ ହୃଦୟେ ହୃଦୟେ
ତୁମରି ସୃଜନୀ
ଅକାର୍ପଣ୍ୟେ ବାଣ୍ଟିଦିଅ ।
ସୃଜନୀ ମହକେ ସଂସାର ବାସିବ
ତୁମେ ବି ହସିବ
ସାର୍ଥକ ହେବ ସୃଜନୀ ।
ସେଇ ଆମ ପ୍ରିୟ ଶାଶ୍ୱତ ତନ୍ମୟ
ସ୍ୱାତୀ ସରସ୍ୱତୀ
ସ୍ୱାଭିମାନୀ,ଅଭିମାନୀ !