ସପନଟି ମିଠାମିଠା
ସପନଟି ମିଠାମିଠା
ସଞ୍ଜ ନଇଁଗଲା, ଆକାଶରେ ଏବେ
ତାରାଫୁଲ ଶହଶହ ,
ମରତବାସୀଙ୍କୁ ଚାହିଁ ହସୁଛନ୍ତି
ଆଖିଠାରି ଅହରହ ।
କହୁଛନ୍ତି ସିଏ ଆମରି ରାଇଜେ
ସପନଟି ମିଠାମିଠା ,
ସାତ ରଙ୍ଗେ ପୂରା ରଙ୍ଗାୟିତ ହୋଇ
ମାଖିଛନ୍ତି ଛିଟାଛିଟା ।
ସୀମାହୀନ ଏଇ ସାରା ଆକାଶଟା
ସବୁ ଦିଶେ ନେଳିନେଳି ,
ଭଷା ବଉଦଟି ତାଆରି ବୁକୁରେ
ଆସେ ଯାଏ ଖେଳିଖେଳି ।
କେବେକେବେ ଆମ ଭିତରେ ବି ହୁଏ
ଲୁଚକାଳି ଥରେଥରେ ,
ମରତବାସୀଏ ଦେଖିପାର ନାହିଁ
ଛପିଥାଉ ଘରେ ଘରେ ।
କାହା ମନେ ନାହିଁ ଈର୍ଷା, ଅହମିକା
କାଚପରି ଚକଚକ ,
ସେଥିପାଇଁ ଜମା ଚିନ୍ତାକରି କେହି
ହୁଅନ୍ତିନି ଦକଦକ ।
ସବୁକିଛି ଏଠି କୁହୁକ ପରିକା
ମନସବୁ ହସହସ ,
ଆସିଲେ ଜାଣିବ ଆଉ ଯେତେ କଥା
ମନ ଜାନେ ବସବସ ।
ଏଇଠି ପାଇବ ସୁଖର ଠିକଣା
ଖୁସି ଝରେ ଝରଝର ,
ଚାହିଁଲେ ବି ସିଏ ପହଞ୍ଚି ପାରିବ
ସେଠି ତୁମ ଘରଘର ।
କଳପନା କର ,ପୁରୁଷାର୍ଥ ବଳେ
ଏଇସୁଖ ଧୀରେଧୀରେ ,
ଖେଳାଇ ପାରୁଛ ,ହସିଉଠି ଧରା
ଆଶିଷୁଛି ଶିରେଶିରେ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।