ବିଶ୍ୱ-ଆକର୍ଷଣ
ବିଶ୍ୱ-ଆକର୍ଷଣ
ରୋମାଣ୍ଟିକ କବି ମାୟାଧର ମାନସିଂହ
ରବିକର ବୃକ୍ଷଲତା ଖୋଜନ୍ତି ଆକୁଳେ,
ନଦନଦୀ ଧାଇଁଛନ୍ତି ସିନ୍ଧୁ ସ୍ପର୍ଶ ପାଇଁ,
ଗନ୍ଧବହ ଲାଗି ପୁଷ୍ପ ସଜ୍ଜିତ ଦୁକୂଳେ,
ମେଘ ସଦା ଧରିତ୍ରୀର ଆଶ୍ଳେଷ ଆଶାୟୀ ।
କାହା ଡାକେ ବୀଜ ଫାଡ଼ି ଉଠଇ ଅଂକୁର,
ଶୁଷ୍କ ବୃକ୍ଷ ଜିଇଉଠେ ମଳୟ ପରଶେ,
ବୃକ୍ଷ ନିଜ ଫଳେ ଖସେ ଧରିତ୍ରୀର ଉର,
ରବିପାଇଁ ଧରା ସାରା ନିଶା ଚାହିଁ ବସେ ?
ତୃଣରୁ ତାରକାଯାଏଁ ନିଖିଳ ସଂସାରେ
କେ କବି ବାନ୍ଧିଛ ସର୍ବେ ପ୍ରେମ ଆକର୍ଷଣେ,
ଅନ୍ୱେଷଣ, ସମର୍ପଣ ଭିତରେ,ବାହାରେ
ନିରନ୍ତର ଲାଗିଅଛି ଜଡ଼ ଓ ଚେତନେ ?
ସେ କବିର ସୃଷ୍ଟି ଛନ୍ଦେ ମୁଗ୍ଧ ଆତ୍ମା-ବଧୂ
ଉନ୍ମୁଖ ପାଇବା ଲାଗି ତା'ର ସ୍ପର୍ଶ-ମଧୁ ।
ସମାପ୍ତ