ହୃଦୟ
ହୃଦୟ
ସୃଜନ କାଳରେ ବ୍ରହ୍ମାଣ୍ଡ ମାଳରେ
ଥୋଇ ଚରାଚର ଧାମ
ଚତୁର୍ବିଧ ପ୍ରାଣୀ ଗଢିଥିଲ ଜାଣି
ଜୀବିକା ସାଧନେ ଆମ
ମଣିଷର ବେଶେ ତିଆରିଲ ଶେଷେ
ଶ୍ରେଷ୍ଠ ବୋଲି ତୁମ କୃତି
ଦୋଷାଦୋଷ ଖୁଣି ସଞ୍ଚାରିଲ ପୁଣି
ମହାର୍ଘ ପ୍ରେମର ଧୃତି
ହେଲ ପରିତୋଷ ରଚି ପ୍ରଜ୍ଞାକୋଷ
ମାନବତ୍ବ ପାଇଁ ସାହା
ଦେବତ୍ବରୁ ସୁଦ୍ଧା ଦେଇଥିଲ ସୁଧା
ହୃଦୟ ବୋଲାଏ ଯାହା
ମୋହେ ହୋଇ ଅନ୍ଧ ଭୁଲି ଭାବବନ୍ଧ
ନିଜ ପାଇଁ ବଞ୍ଚୁ ବଞ୍ଚୁ
ଲାଳସାର ପକ୍ଷୀ ଆନ ହୃଦେ ଲକ୍ଷି
ଆଘାତ କରଇ ଚଞ୍ଚୁ
ତଥାପି ସୁଧୀର ହୃଦୟୁ ରୁଧିର
ଧାରା କାହିଁ ଆଉ ଝରେ
ଅଦୃଶ୍ୟ କୁହରେ ବଦଳି ଲୁହରେ
ରଙ୍ଗହୀନ ରୂପ ଧରେ ।
ଶେଷେ ଜୁଇ ତଳେ ହୃଦ ଯେବେ ଜଳେ
ମହମହ ହୋଇ ବାସେ
ତୁଟିଗଲେ ଘୃଣା ଲାଗେ ଯେହ୍ନେ ଝୁଣା
ଚେତନା ବି ଫେରି ଆସେ ।
ଦେବତ୍ବ ସକାଶେ ଚେତନା ପ୍ରକାଶେ
ହୃଦୟ ରଖିଲେ ଶୁଦ୍ଧ
ଆପଣାର ଭାବ ବଳେ ହୁଏ ଠାବ
ସ୍ବଦେହରେ ସ୍ଥିତ ବୁଦ୍ଧ ।