କାଳିଆକୁ ଗୁହାରି
କାଳିଆକୁ ଗୁହାରି
ଭକ୍ତ ପାଇଁ ପ୍ରଭୁ ସଂସାରେ କରିଛ ଲୀଳା
ଭାବବିନୋଦିଆ ତୁମେ ଠାକୁର ପରା
ଦୁଃଖୀଙ୍କର ତୁମେ ଅଟ ଯେ ସଙ୍ଗାତ
ଫେଡିଥାଅ ତୁମେ ପ୍ରାଣୀଙ୍କ ସକଳ ଆରତ ।
ତୁମ ଚକାନୟନକୁ ଦେଖିଲେ ଲାଗଇ ଭୋଳ
ତୁମେ ପରା ନିଜେ ସେହି ଆଣ୍ଠୁଆ ଗୋପାଳ
ଭେଦଭାବ କିଛି ତୁମ ପାଖରେ ନାହିଁ
ତୁମେ ପରା ବଡଦେଉଳର ଗୋସାଇଁ ।
ଡାକନ୍ତି ଭକତ ପ୍ରଭୁ ତୁମକୁ ଆତୁରେ
ନୟନରୁ ଝରାନ୍ତି ଅଶ୍ରୁ ଧାରେ ଧାରେ
ତେତିଶହ କୋଟିଦେବାଦେବୀ ତୁମ ଦେହେ
ତୋ ଚକାନୟନଟିକୁ ଦେଖି ମନ ମୋହେ ।
ପଲକ ନ ପକାଇ ପ୍ରଭୁ ଚାହିଁ ରହିଛ
ଜଗତର ସୁଖ ଦୁଃଖ ସବୁ ତୁମେ ବୁଝୁଛ
ଶୁଣିଛ କି ପ୍ରଭୁ ଦିନେ ହୃଦୟର କୋହ
ଦେଖିଛ କି ତୁମେ କେବେ ଏ ଆଖିର ଲୁହ ।
ମନର କଥାଟି କହିଦେଲି ତତେ
ତୋ ଭକ୍ତଟିଏ ବୋଲି ଭାବିନେବୁ ମତେ
କେତେ ଯେ ଗୁହାରି ଶୁଣିବୁ ନିତିଦିନ
କୋଟିଭକ୍ତ ଡାକନ୍ତି ସେତ ପ୍ରତିଦିନ ।