ନିଦାଘ କବିତା
ନିଦାଘ କବିତା
ବାର୍ ବାର୍ ଖବର ଦେଲି
ସାଙ୍ଗସାଥୀ ହାତରେ,
ଫୋନ୍ କଲି,
ନେହୁରା ହେଲି....
ଆ'..ଫେରି ଆ'....
କ'ଣ ପାଉଛୁ ସେଠି !
ଏଠି ଆମେ ଜଳୁଛୁ ।
ସିଝୁଚୁ ତୋ ନଥିବା ନିଆଁରେ ।
ତୁ ଆସିବୁ ବୋଲି
ଲୁଚେଇ ରଖିଚି ବାଡି ଆମ୍ବରୁ ଦି'ଟା
ଜାମୁ କୋଳି, ଖଜୁରି କୋଳିରୁ ଦିଅଣ୍ଡା ।
ପଣସରେ ତୋ ବାପ ହାତ ମରେଇ ଦଉନି
ତୁ ଭାରି ଭଲପାଉ ବୋଲି ।
ସବୁ ପଚିବା ପଚିବା ହେଲାଣି ।
ଆସିବୁ ଆସିବୁର ଆଶ୍ବାସନାରେ
ସବୁଥର ପରି ବେଳ ସରିଲାଣି ।
ପଡିଶା ଘର ବଗବୋଉ କହୁଥିଲା
ତା' ପୁଅ ଆସିଲେ
ଚାଳ ଦି' ବଖରା ଭାଙ୍ଗି ଛାତ କରିବ ।
ମୁଁ ବି କୋଉ କମ୍ କି
ତତେ ତଳେ ପକେଇନି
କହିଦେଇଚି ...ତୁ ଆସିଲେ
ବାପ ସାଙ୍ଗରେ କାନ୍ଧ ମିଶେଇ
ହଳ କରିବୁ, ସୁନା ଫଳେଇବୁ
ଏ ଫଟା ମାଟିରେ ।
ପେଟ ଅପୋଷା ରହିବନି ।
ଆଉ ଫେରିବୁନି ସେ କିମିଆଁ କରା ପରଭୂଇଁକି ।
କାଲି ରାତି ଅଧରେ ତୋ ବାପ
କାନ୍ଦୁଥିଲା , ପଚାରିଲାରୁ କହୁଚି ଆଖି ବିନ୍ଧୁଚି ।
ମୁଁ ଜାଣିଚି ତୋ ବାଟ ଚାହିଁ ଚାହିଁ
ସେ ଆଖିରୁ ପାଣି ମଲାଣି,
ମତେ ମିଛ କହୁଚି ।
କୋଉଠୁ ଶୁଣି ଆଇଚି
ତୁ କାଳେ ଯାଗାବାଡି କିଣିଲୁଣି ସେଇଠି
ଆଉ ଫେରିବୁନି ଏ ଅପନ୍ତରାକୁ
ସେଇଠି ସବୁ ସୁବିଧା,
ଏଠି କିଛି ନାହିଁ .... ।
ସତ କହିଚୁ ଧନ ....
ମଶାଣୀକୁ ଗୋଡ କାଢିଥିବା
ବୁଢାବୁଢୀ ଦି'ଟା,
ବାପଅଜା ଅମଳର ଭିଟାମାଟି ଖଣ୍ଡକ ଛଡା
ଏଠି କିଛି ନାହିଁ ।
ବଜାରରେ ଢେର୍ ମିଳୁଚି
ଆମ୍ବ ପଣସ, ଅଙ୍ଗୁର, ନାସ୍ପାତି ।
ତୋ ପକେଟ୍ ରେ ବି ଢେର୍ ପଇସା ।
ମୁଁ ଯାହା ବାୟାଣୀଟା ....
ଭାବୁଚି ତୁ ଆସିଲେ ବଦଳି ଯିବ ପାଣିପାଗ,
ଖୁସିର ବାଦଲ ଖଣ୍ଡେ ବର୍ଷିଯିବ ମୋ ଅଗଣାରେ ।
ଶାନ୍ତ ପଡିଯିବ ଏ ଦହଗଞ୍ଜିଆ ପୋଡା ମନ ।
କାଇଁ କୋଉଠି ହଉଚି ଯେ !
ଏବେ ବି ଏ ମଲା ଆଖି ଦି'ଟା
ପହଁରୁଚି ତୋ ଆସିବା ରାସ୍ତାରେ ।
ଏବେ ବି ଆମେ ଜଳୁଚୁ,
ସିଝୁଚୁ ତୋ ନ ଥିବା ନିଆଁରେ ।।
ଦୀପ୍ତିମୟୀ ବିଶ୍ବାଳ / 19.6.18