ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ତୁମେ ଖୁବ୍ ପ୍ରଗଳଭା ନଥିଲ
ଚୁଲବୁଲି ବି ନଥିଲ
ଏକଦମ୍ ଗୁମସୁମ୍ ବି ନଥିଲ
ଅଳ୍ପ କଥା ଅଳ୍ପ ହସ ତୁମ
ବେଶ୍ ମାନୁଥିଲା
ତୁମ ଶାବନା ରଂଗର
ଢଳ ଢଳ ଚେହେରାକୁ ,
ବୋଧହୁଏ
ଅସ୍ତିତ୍ବ ଜାହିର କରୁଥିଲ
ମୋ ଉପରେ ପ୍ରତିକ୍ଷଣେ
ଲୁଚି ଲୁଚି ଏକା ଏକା
ସମସ୍ତ ଙ୍କ ଅଲକ୍ଷରେ ।।
ତୁମେ ଭୀଷଣ ନୀରବ ଥିଲ
ମୁଁ ବି ମଧ୍ୟ ................
ଲୁହ ଢାଳୁଥିଲ ଏକା ଏକା
ଗୋପନରେ କେତେ ,
ନା ମୁଁ ଦେଖିପାରୁଥିଲି
ନା ମୁଁ ବୁଝିପାରୁଥିଲି
ନା କେବେ ଚେଷ୍ଟା କରିଥିଲ
କହିବାକୁ କିଛି କଥା
ନୂଆ କି ପୁରୁଣା ,
ଏକ ନିଃସଙ୍ଗ ଇଲାକାରେ
ବାର ବାର ଘୂରୁଥିଲେ
ଆମେ ଦୁଇଜଣ
ଅଜଣା ଅନ୍ଧାରରେ ପିଟି ହେଉଥିଲେ
ସମୟର ନିଷ୍ଠୁର ଚକ୍ରରେ ।।
ମାତ୍ର, ମୁଁ ସ୍ପଷ୍ଟ ଦେଖିପାରୁଥିଲି
ତୁମ ଆଖିର ଲାଜୁଆ ଇଶାରା
ତୁମ ଓଠର ଅକୁହା ଭାଷା
ତୁମ ହୃଦୟର ଅବ୍ୟକ୍ତ ଯନ୍ତ୍ରଣା ।
ପ୍ରୀତିର ଗୋଲାପୀ ପାଖୁଡା
ବାସ୍ନାୟିତ ହେଉଥିଲା
ତୁମ ଭିଜା ଭିଜା ଚାହାଣୀରେ ,
ଭଲପାଇବାର ତୁମ ନିସର୍ତ୍ତ ଆକଷର୍ଣ
ବାନ୍ଧି ଧରୁଥିଲା ଉବୁଟୁବୁ ହେବାକୁ
ତୁମ ମିଠା ମିଠା ପ୍ରେମର
ଅଥଳ ଗର୍ଭରେ ଆଉ କିଛି ଦିନ ।।
ସତରେ ସମୟ ବଡ ବଳବାନ
ଧୋକାଦେଲା ଅଦୃଶ୍ୟରେ ଲୁଚି ଲୁଚି
ଆମ ଦୁହିଁଙ୍କ ଅଲକ୍ଷରେ
ବେସୁରା ହେଲା ସମ୍ପର୍କର ଅନାବିଳ ସ୍ବର
ବସନ୍ତ ହେଲା ବାସହୀନ ;
ଯୋଜନ ଯୋଜନ ଦୂରତ୍ବ ଏବେ
ତୁମ ଓ ମୋ ମଧ୍ୟେ
ସ୍ପଷ୍ଟ ଦୃଶ୍ୟମାନ ଲକ୍ଷ୍ମଣଙ୍କ ତିନିଗାର
ଆଜି ଜୀବନ-ମଧ୍ୟାହ୍ନର ସୁଦୀର୍ଘ ପଥରେ।।
ତଥାପି, ଝାପସା ଝାପସା ସ୍ମୃତି ତୁମ
ଧସେଇ ପଶିଆସେ କେତେ ରଂଗମାଖି
ବଧୁବେଶ ସାଜେ ,
ଶବ୍ଦାୟିତ ହୁଏ ନୂପୁର ରାଗିଣୀ
ଶିହରିତ ହୁଏ ତାପିତ ହୃଦୟ
ଜୀବନ୍ୟାସ ପାଏ ମୋ ଭଙ୍ଗୁର ପୌରୁଷ
ମୋ ଅଜଣାତରେ,ଇଛା ବିରୋଧରେ
ଧ୍ୟାନମଗ୍ନ ହୋଇଯାଏ କିଛି କ୍ଷଣ
ପୁନଶ୍ଚ ଫଗୁଣ ଫେରେ ମୋ ମନ ଅଗଣାକୁ
ଚୁପି ଚୁପି ଧୀରେ ଧୀରେ
ଏଇ ବୋଧେ ପ୍ରେମ
ଭଲପାଇବାର ନିଛକ ଓ ନିଃଶବ୍ଦ ଗୁଂଜନ ।।
ଶରତ କୁମାର ଦାସ