ପ୍ରେୟସୀ
ପ୍ରେୟସୀ
ନୟନେ ଅଞ୍ଜନ ସାଜି ମୁଁ ରହିବି
ଝରାଇ ଦେବିନି ଲୁହ
ମନେ ତୁମ ସୁଖ ସ୍ୱପ୍ନ ହେବି ମୁଁ
ଜଗାଇ ଦେବିନି କୋହ ॥୧॥
ଶ୍ରବଣେ ତୁମର ଝଙ୍କୃତ ହେବି ମୁଁ
ପ୍ରୀତିର ରାଗିଣୀ ହୋଇ
ଅଇନାରେ ତୁମ ପ୍ରତିଛବି ହେବି
ଦେଖୁଥିବ ମୁଗ୍ଧ ହୋଇ ॥୨॥
ଲଲାଟେ ତୁମର ସିନ୍ଦୂର ବିନ୍ଦୁ ମୁଁ
ହୋଇ ସଧବା ସ୍ୱାକ୍ଷର
ଝଟକୁ ଥିବି ମୁଁ ବଞ୍ଚିଥିବା ଯାଏ
ଲାଗିବନି କୁ ନଜର ॥୩॥
ଭ୍ରୁଭଙ୍ଗୀରେ ତୁମ ଭରି ଦେବି ମୁହିଁ
ଚକିତ କୁରଙ୍ଗୀ ଠାଣି
ଝଲସି ଉଠିବ ମୁଖ ଶୋଭା ତୁମ
ରମ୍ଭା ମେନକାକୁ ଜିଣି ॥୪॥
କଣ୍ଠେ ତୁମ ହେବି କୋଇଲିର କୁହୁ
ଗାଇଲେ ଝରିବ ମଧୁ
ତୁମେ ସେ ପ୍ରେୟସୀ ଅନିନ୍ଦ୍ୟ ରୂପସୀ
ମୋ ମାନସ-କଳ୍ପ ବଧୂ ॥୫॥
ଗଳାରେ ତୁମର ହୋଇ ରତ୍ନହାର
ବକ୍ଷଦେଶେ ଲମ୍ବିଥିବି
ହୃଦୟ ସ୍ପନ୍ଦନ ହେବ ଯେବେ ଘନ
ପ୍ରେମ ଭାବ ଭରିଦେବି ॥୬॥
ମୋ ବାହୁ ବନ୍ଧନେ କଣ୍ଠ ଆଲିଙ୍ଗନେ
ଯାଇଥିବ ଯଦି ନିଦ୍ରା
ଅତି ସୁରକ୍ଷିତ ଶୟନୁ ବିରତ
ହେବ ନାହିଁ ମୋର ଭଦ୍ରା ॥୭॥
ଅଧରେ ତୁମର ସାଜିବି ଭ୍ରମର
କଳା ତିଳ ଚିହ୍ନ ହୋଇ
ଅବିରତ ସ୍ପର୍ଶ ଦେଉଥିବ ହର୍ଷ
ପ୍ରୀତି ମଧୁ ସୁଧା ପିଇ ॥୮॥
ଗଭାରେ ଗଜରା ହୋଇ ତୁମ ପରା
ବାସୁଥିବି ମହ ମହ
ସୁଗନ୍ଧରେ ମନ ମୋହୁଥିବି ତୁମ
ହସୁଥିବ ଟହ ଟହ ॥୯॥
ଶୁଭ୍ର ଦନ୍ତ ପଂକ୍ତି ସତେ କି ବା ମୋତି
ଅଶିଣ ଆକାଶେ ତାରା
ବଧୁଲି ଅଧରେ ନବନୀତ ଧାରେ
ଲାଗି ରହିଛିକି ପରା ॥୧୦॥
ଆଗୋ ବିମ୍ବଓଷ୍ଠୀ କ୍ଷୀଣ ତୁମ କଟି-
ଦେଶେ ମୁଁ ମେଖଳା ହୋଇ
ଅଙ୍ଗର ବସନ କରିବି ଯତନ
କେବେ ବି ଖସିବ ନାହିଁ ॥୧୧॥
ମୋ ମାନସ-ହଂସୀ ହେ ମୋର ପ୍ରେୟସୀ
ତୁମ ବିନା ଏକା ଏକା
ରହି ପାରେନାହିଁ ସହି ପାରେନାହିଁ
ଅସ୍ଥିର ଏ ମନେ ଶଙ୍କା ॥ ୧୨॥
ସ୍ୱପ୍ନ ବିଭୋର ଚକ୍ଷୁ ଦୁଇ ମୋର
ତୁମ ଦରଶନ ପାଇଁ
ଅଧିର ଏ ମନ ହୁଏ ଛନଛନ
ତୁମର ପରଶ ପାଇଁ ॥୧୩॥
ଆସ ପ୍ରିୟା ମୋର ନକର ଉଛୁର
ଦିଅ ପ୍ରେମ ଆଲିଙ୍ଗନ
ନବ ଉଦ୍ଦୀପନା ଭରିଯାଉ ଅଙ୍ଗେ
ସାକାର ହେଉ ଏ ସ୍ୱପ୍ନ ॥୧୪॥