ମୁଁ ଅଛି ,ମୁଁ ଅଛି
ମୁଁ ଅଛି ,ମୁଁ ଅଛି
ରୋମାଣ୍ଟିକ କବି ମାୟାଧର ମାନସିଂହ
ଜନନୀ ଅଛନ୍ତି କାହିଁ ଗୃହର ଜଞ୍ଜାଳେ
ଶିଶୁ କନ୍ୟା ରୋଦଇ ଆକୁଳେ,
'ମୁଁ ଅଛି' 'ମୁଁ ଅଛି' କହି ବୋଧ ଦେଇ ତା' ରେ
ଶିଶୁ-ପୁତ୍ର ଆଦରେ ଆଗୁଳେ ।
ନୀରସ କିତାପୁ ମୁଖ ତୋଳି ଅନାଇଲି
ଚକ୍ଷୁ ମୋର ହେଲା ଲୁହେ ଭରା,
ଦେଖିବାରେ ଛୋଟ ଭାଇ ଛୋଟ ଭଉଣୀରେ
ବାଣୀ କହେ ଆଶ୍ୱାସନା-ଭରା ।
ଭାବିଲି ପୁଣି ମୁଁ, ଯାହା ଦିଅଇ ଭରସା
ଛୋଟ ଭାଇ ଛୋଟ ଭଉଣୀରେ,
ଉଦ୍ଭ୍ରାନ୍ତ ଜୀବକୁ ହାୟ ଦେଉଥାନ୍ତି କିଏ
ସେ ଭରଷା ରୁକ୍ଷ ଧରଣୀରେ ।
କାହିଁ ସେ ଅଦୃଶ୍ୟ ହସ୍ତ ; କାହିଁ ନିର୍ଭରତା ?
ଜୀବ ମରେ ଜୀବନ-ଜଞ୍ଜାଳେ,
ଖାଇ ଖାଇ ବ୍ୟାଧି,ଦୁଃଖ,ନୈରାଶ୍ୟର କଶା,
ରାସ୍ତା ଖୋଜି,ମରେ ଅରାସ୍ତାରେ ।
ଜୀବନର ଜଞ୍ଜାଳରେ କିଂକର୍ତ୍ତବ୍ୟବିମୁଢ଼
ଜୀବ ଯେବେ ଡାକଇ କାତରେ,
ସବୁ ଯେବେ ଅକରୁଣ ଅନାଶ୍ରୟ ରୂଢ଼,
ବନ୍ଧୁହୀନ, ବିରାଟ ବିଶ୍ୱରେ ।
କେ ଯଦି କହନ୍ତା ପଛୁ 'ମୁଁ ଅଛି' 'ମୁଁ ଅଛି'
" ପ୍ରିୟ ବତ୍ସ,ଭୟ କାହିଁପାଇଁ ? "
ଧୀରେ ସ୍କନ୍ଧେ ସକରୁଣ ଅଙ୍ଗୁଳି ନିବେଶି
ପଥ, ଲକ୍ଷ୍ୟ, ଦିଅନ୍ତା ଦେଖାଇ ।