ଆଧୁନିକ କବି
ଆଧୁନିକ କବି
କବି ଜଣେ ଗଲେ ଆରପାରି ଯେବେ ତାଙ୍କ ସ୍ମୃତି ସଭା ଲାଗି
ଅପ୍ରକାଶିତ ପାଣ୍ଡୁଲିପି ଟିଏ ଫ୍ୟାନକ୍ଲବ ଗଲେ ମାଗି ।
ମାଡାମ ରାଗିଲେ ନିକମା ସ୍ୱାମୀ ମୋ ଚାଲିଗଲେ ଭଲ ହେଲା
ମୋପାଖେ କବିତା ପାଇଁ ଯେ ଆସିବ ଖାଇବ ପାହାରେ ଭଲା ।
ତଳେ ପଡ଼ିଥିଲା କବିତା ଖଣ୍ଡିଏ ପାଇଗଲେ ଜଣେ ଫ୍ୟାନ୍
କଳେଇ ବୁଢୀଟା କବିଙ୍କୁ ଆମର ଦିଏନି ପ୍ରାପ୍ୟ ସମ୍ମାନ ।
ସାଉଁଟି ତାକୁ ସେ ସାଥିଙ୍କୁ ଠାରିଲେ ପାଇଛି ମୁଁ ପାଣ୍ଡୁଲିପି
କାମ ଚଳିଯିବ ବୁଢି ସଂଗେ କାହିଁ ହେବା ଆମେ ଝିକିମିକି !
ସ୍ମୃତି ସଭା କଲେ ଜାକଜମକରେ ଘର ଆଗେ ତାଙ୍କ ମଂଚ
ଏମିତି କବିତା ନବୁଝେଇଲେ କେ ବୁଝି ପାରିବେନି ପେଂଚ ।
ଦୁଇଟି ସାୟା ଓ ବ୍ଲାଉଜ ଚାରିଟା କବିତା ପ୍ରଥମ ଧାଡି
ଆଲୋଚନା କଲେ ଭାବର ଗୁମ୍ଫନ ସାୟା ବ୍ଲାଉଜ ଯୋଡ଼ି ।
ମାଇକ୍ ଶୁଣିକି ମାଡାମ ଷ୍ଟେଜରେ ଚଢିଲେ ଚଣ୍ଡି ରୂପରେ
ଛଡ଼ାଇ ନେଲେ ସେ ପାଣ୍ଡୁଲିପି ଯେହ୍ନେ ହୃତଧନ ପାଇଗଲେ ।
କହିଲେ ହଜିଛି ଲଣ୍ଡ୍ରି ଚିଠା ମୋ କାଲି ଠାରୁ ଖୋଜୁ ଅଛି
ଧିକ ଧିକ ତୁମ କବିତା ଜ୍ଞାନକୁ ପଳାଅ ଏଠୁ କହୁଛି ।
ଯାହା ଲେଖିଦେଲ କବିତା ବୋଇଲ ତାଳ ନାହିଁ ପଦ ଛନ୍ଦ
ଜୋର ଜବରଦସ୍ତି ଅର୍ଥ କରୁଛ ଭାବିଲେ ମାଡ଼ୁଛି କାନ୍ଦ ।
କବିତା ଲେଖିବା ଆଗରୁ ଥରଟେ ପଢ ଭଂଜ ଅଭିମନ୍ୟୁ
ଦୀନକୃଷ୍ଣ କବିସୂର୍ଯ୍ୟ କବିବର ସ୍ୱଭାବ କବିଙ୍କ ମେନୁ ।
କବିତାରେ ଦିନ ଦୀପ ଜଳୁଥିଲା ବର୍ଷା ରିମଝିମ୍ ବର୍ଷେ
କୋଇଲି ସ୍ୱରକୁ ସଭିଙ୍କର ଆଶା କୁଆ ରାବେ କିଏ ରସେ !!
ବିଶ୍ବେଶ୍ୱର ମାଝୀ