ନଦୀମାତା ମହାନଦୀ
ନଦୀମାତା ମହାନଦୀ
ଦେଖରେ କେମିତି କାନ୍ଦୁଛି ନୀରବେ
ଆମ ମହାନଦୀ ମାତା
କଲ୍ଲୋଳିନୀର ନାହିଁ କୋଳାହଳ
ସ୍ତବ୍ଧ ଖରସ୍ରୋତା ॥
କରୁଣାର ଧାରା ସଦା ପ୍ରବାହିତ
ଉତ୍କଳ ମହାନଦୀ
ଦେଖିଛ କି କେହି କେଉଁ କାଳ ଠାରୁ
ବୋହିଚାଲେ ନିରବଧି ॥
ଏ ନଦୀମାତାର ଦୁଇ କୂଳେ ସ୍ଥିତ
ସନ୍ତାନ ସନ୍ତତି
କେତେ ମାୟା କେତେ ମମତା ଜାଣିଛ
ଯୁଗେ ଯୁଗେ ତାଙ୍କ ପ୍ରତି ॥
ହରିତ୍ କ୍ଷେତ୍ର ପଶୁ ପକ୍ଷୀ କୀଟ
ତା’ରି ପରମ ସ୍ନେହେ
ଲକ୍ଷ ଲକ୍ଷ ପିଲାପିଲିଙ୍କୁ
ପାଳୁଅଛି ସସ୍ନେହେ ॥
ନଦୀ ମାତୃକ, ଏଇ ସଭ୍ୟତା
ଆଜି ଘୋର ସଙ୍କଟେ
ପୁର ଓ ପଲ୍ଲୀ ଗଣୁଛି ପ୍ରମାଦ
ହାହାକାର ଚାରିପଟେ ॥
ଆସ ସମସ୍ତେ ହୋଇବା ଏକାଠି
ଜନନୀର ଆବହାନେ
ଭୁଲି ଭେଦାଭେଦ ଉଠାଅ ଧ୍ଵଜା
ଆଜି ଏ ସନ୍ଧିକ୍ଷଣେ ॥
କେ ଅଛ ହେ ବୀର, ଛାଡି ଗୃହକୋଣ,
ଆସ ଭାଙ୍ଗି ନୀରବତା
ହୁଅ ବିଦ୍ରୋହୀ କର ବିଦ୍ରୋହ
ଯଦି ଥାଏ ହୃଦ୍ୟତା ॥
ଏଇ ହେଲା ସେଇ ମଧୁବାବୁ ଆଉ
ଗୋପବନ୍ଧୁର ମାଟି
ସେମାନେ ଆଜିକି ରହି ଅଲକ୍ଷ୍ୟେ
ହେଉଛନ୍ତି ଛାଟିପିଟି ॥
କେ ଅଛ ବାନ୍ଧିବ ଚିର ସ୍ରୋତାକୁ
ଏ କାହାର କୌଶଳ
କେ ଭିଡିଛି ଅଣ୍ଟା, ଛିନ୍ନ କରିବ
ମମତାର ଶୃଙ୍ଖଳ ॥
ଆହେ ରାଜନେତା, ଭାଗ୍ୟବିଧାତା
ସୁଯୋଗ୍ୟ ସନ୍ତାନ
ଦେଖିବା ଆଜିକି, କେ କରିଛ ତୁମେ
ମାତୃଦୁଗ୍ଧ ପାନ ॥
ଦିକେ ଦିକେ ବାଜେ ଅଗ୍ନିର ବୀଣା
ଶୁଭେ ରଣ ହୁଙ୍କାର
ମହାନଦୀ ଲାଗି, ଜଳି ଉଠିଲାଣି
ସମଗ୍ର ଉତ୍କଳ ॥