ଗାଁ ହାଟ
ଗାଁ ହାଟ
ଶ୍ରୀ ଗଦାଧର ଦାସ
ଗାଁ ହାଟରେ କୋଳାହଳ ମଧ୍ୟେ
ହଜିଯାଏ ମୋ ଲେଖନୀର ସ୍ଵର
ତଥାପି ତା ପାଇଁ ପଦେ ଲେଖିବାକୁ
ମନ ମୋ ହୁଅଇ ଆତୁର l
ବନ୍ଧୁ ମିଳନର ସ୍ଵାକ୍ଷର ବହନ
କରିଥାଏ ତା’ ହୃଦୟେ,
କେତେ ବନ୍ଧୁହରା ଆତ୍ମୀୟତା ପାଇଁ
ଦୁରୁ ଆସିଥା’ନ୍ତି ଲୟେ l
ଚାହା ପାନ ପର୍ବେ ଗଳ୍ପ ଜମିଯାଏ
ନିଜଠୁ ଭୁଲି ଯାଆନ୍ତି,
ହାଟ ସଉଦାର ଭାର ବୋହି ନେଇ
ପୁଣି ସଂସାର ତୁଲାନ୍ତି l
ପୁଣି ସେହି ରାଗ ରୋଷ ଜଞ୍ଜାଳରେ
ବୁଡ଼ି ଯାଆନ୍ତି ସଭିଏଁ,
ଶାନ୍ତି ନ ପାଆନ୍ତି ଘର ଜଞ୍ଜାଳରେ
ଉଦ୍ ବେଗ ମନ ସାଥେ l
ପୁଣି ହାଟ ବାରି ପଡିବା ପର୍ଯ୍ୟନ୍ତ
ଅନାଇ ରହନ୍ତି ଯହିଁ,
ହାଟ ବାଟଠାରେ ଗଳ୍ପ ଜମିଯାଏ
ମନର ଭାବନା ବହି l
ଏହି ଗାଆଁ ହାଟ ରହିଛି ମଉନେ
କେତେ ଯେ ହଜି ଗଲେଣି,
ସ୍ମୃତି ପ୍ରାୟ ହୋଇ ରହିଅଛି ହାଟ
ବଢିଛି କେତେ ବିପଣି l
ଦୁଃଖ ତା’ର ନାହିଁ, ଅଭିଯୋଗ ନାହିଁ
କାହାପାଇଁ ଦିନେ ହେଲେ,
ଦୁଃଖ ନେଇ ସିଏ ସୁଖ ବାଣ୍ଟୁଥାଏ
ଗରବେ ହିଆ ତା’ ଫୁଲେ l
ଦୁଃଖ ସେ ଶୁଣିଛି ସୁଖ ସେ ଶୁଣିଛି
କହି ନାହିଁ କାହାପାଇଁ,
ନିରପେକ୍ଷ ଧର୍ମ ନିକିତି ପରାଏ
ହେଲେ ସଭିଙ୍କ ହୋଇ l
ଗାଁ ହାଟଠାରୁ ସଂସାର ହାଟକୁ
ଟିକିଏ ଆଗେଇ ଯିବା,
ସହନ ଶୀଳତା ଗୁଣ ଶିକ୍ଷାକର
ଭବ ସଂସାରୁ (ହାଟୁ ) ତରିବା l