ମହିଷାସୁର ଉବାଚ
ମହିଷାସୁର ଉବାଚ
କି ଲାଭ ପାଉ ମା'
ମତେ ପ୍ରତିବର୍ଷ ମାରି
ଏବେ ତ ଧରାରେ ନରାସୁରର ରାଜୁତି
ତତେ ଘୋଡାଇ ସୁନା ଜରି ଲଗା ବସ୍ତ୍ର
ନାରୀକୁ କରନ୍ତି ବିବସ୍ତ୍ରା
ତୁ ଧୂପ ଦୀପ ନୈବେଦ୍ୟ ପାଇ
ଜାଚି ଦେଉ ଅଭୟ ବର....
ମୁଁ ତ ତୋର ବିବସନା ରୂପ ଦେଖି
ଯାଇଥିଲି ମରି
ନରାସୁରଗଣ ଲାଳାୟିତ ଦେଖିବାକୁ
ନାରୀର ବକ୍ଷ ଜାନୁ
କିପରି ମାତା ଏସବୁ
ପାଶୋରି ଦେଉଛ ମନୁ ।
ମୋର ଉଦ୍ଧତ ପଣକୁ
ତ୍ରିଶୁଳ ପ୍ରହାରେ ବିନାଶ କଲ
ଅଥଚ ବିକୃତ ମସ୍ତିଷ୍କ ଯୁକ୍ତ
ନରାସୁର ମାତିଲେଣି ପଲ ପଲ
ସୁସଜ୍ଜିତ ମଣ୍ଡପେ ତତେ ବସେଇ
କୋଟି କୋଟି ଟଙ୍କାର ବ୍ୟୟ
ହେଲେ ଦେଖ ମା' ଉପବାସେ ରହି
ଗରିବ କରୁଛି ତୋ ଉପାସନା
ନାହିଁ ସେମିତି କିଛି କାମନା
କରେନାହିଁ ପାପ
ନଥାଏ ମନରେ ଭୟ ।
ବୁଲି ଯାଅ ମାତା ଥରୁଟିଏ
ପୂଜା ମଣ୍ଡପ ଛାଡି
ଅନ୍ତର ମଧ୍ୟରୁ ସଭିଙ୍କ
ଲୋଭ ଅହଂକାର ପାପ ଇଚ୍ଛାର
କରିଦିଅ ବିନାଶ
ଧ୍ୱଂସ କରି ଅସୁରକୁ
କେବଳ ନର ଆସୁ ବାହୁଡି ।
ଯୁଗେ ଯୁଗେ ତୋର ମାତୃପଣର
ଉଡୁଥାଉ ବାନା
ପ୍ରତିକ ଭାବେ ମତେ କରୁଥା ବଦ୍ଧ
କରିବିନି ମନା ।
.... ପଦ୍ମାଳୟା