ପ୍ରେମିକା
ପ୍ରେମିକା
ମୋନାଲିସା ମିଶ୍ର
ଥରେ ସେ କହିଲେ ମୁଁ କୁଆଡେ
ରଙ୍ଗୀନ୍ ମାଛ ପରି ପହଁରୁଥିଲି
ଯେବେ ସେ ମଦ ଢାଳୁଥିଲେ
ତାଙ୍କ କାଚଗ୍ଲାସ୍ ରେ
ଦିନେ କୁଆଡେ କେଶ ମୁକୁଳେଇ
ଉତ୍ତରୀ ହଜେଇ
ଲୋଟି ପଡିଥିଲି ପିଆଲର ଧାରେ ଧାରେ
ସେ ଯେବେ ଶୋଷିଲା ଥିଲେ
ଏକ କଫି ଅନ୍ଧାରରେ
ଆଉ କେବେ ପୁଣି
ମୋ ଲାଲ୍ ଟୁକ୍ ଟୁକ୍
ବଧୂଲି ଓଠଟି ପୋଡା ମାଂସ ପରି
ଝୁଲୁଥିଲା ତାଙ୍କ କଣ୍ଟା ଚାମଚ୍ ରେ
ମୁଁ ହସିଲି, ଏତେ ହସିଲି ଯେ
ଚିରା ପଲିଥିନ ପରି ଓଟାରି ଓଟାରି ହେଇ
ଦି’ଫାଳ ହେଇଗଲା ଆକାଶ
ଭକ୍ କଲାପରି
ଓକାଳି ପକେଇଲା ବସୁଧା
ଗୁଡାଏ ରକ୍ତ, ରେତ
କେଶ,ସ୍ଵେଦ ଯୋନି,ଜଙ୍ଘରେ
ଲାଳ ସରବର ଏକ ପାହାଡ
କହିଲି, ନେ ଖାସ୍ ତୋହରି ପାଇଁ
ରୂପାଥାଳିରେ ପରଶି ଦେଉଛି
ଗୋଟିଏ ଗର୍ତ୍ତ ଯା, ଫେରିଯା
ସେଇ ଆବୁଡା ଖାବୁଡା ପଥରକୁ
ଖୋଦେଇ କରିବୁ ଖଟରେ ବାଡରେ
ପାଚେରୀରେ କାଲେଣ୍ଡରରେ
ରେତ ଲିପା ରାଜରାସ୍ତାରେ
ମୁଁ ତ ପାଇସାରିଛି
ପାଦ ପାଇଁ ଏକ ଚଟାଣ
ଉଖାରି ଆଣିଛି,ଶଢା କଦମ୍ବ ପରି
ତୋ ପ୍ରେମର ପଚା ଗନ୍ଧ
ଏବେ ମୋ ହାତରେ ହିଁ
ଲେଖାହେଉଛି ମୋ ନିଜର ଜୀବନ୍ୟାସ l