ଆସ ଗୋ ମାନିନୀ
ଆସ ଗୋ ମାନିନୀ
ମରୁବାଲି ପରେ ତପ୍ତ ବାଲୁକା ମୁଁ
ତୁମେ ବୁନ୍ଦେ ପ୍ରୀତି ବାରି
ନିଦାଘ ଜ୍ଜଳନ ହୃଦୟକୁ ଚିରି
ଆସିଯାଅ ଥରେ ଝରି ।
ଫେରିବ ବୋଲି ତ ତୁମ ପଥ ଚାହିଁ
ସାଜିଛି ଗୋଲାପି
ଲୁଚେଇ ଦେଇଛି ଅଦେଖା ଯନ୍ତ୍ରଣା
ସହିଥିଲା ଯାହା ଛାତି ।
ତୁମ ଆଗମନେ ରିକ୍ତ ଶୋଣିତ
ଭାଙ୍ଗିଦେବ ମନସ୍ତାପ
ଭିଜାଦେହ ବାସ୍ନା ମହକି ଉଠିବ
ଯେହ୍ନେ ବାସ୍ନାୟିତ ଧୂପ ।
ପ୍ରଶାନ୍ତି ଚିତ୍ତରେ ତୁମ ସ୍ନେହ ପ୍ରେମ
ଅଙ୍ଗେ ଅଙ୍ଗେ ଯିବେ ଲାଖି
ନଇଁଯିବେ ଫୁଲ ଲାଜରେ ଲାଜରେ
ତୁମ ରୂପ ରଙ୍ଗ ଦେଖି ।
ଝରିଯିବ ମଧୂ ମନ କଦମ୍ବରୁ
ଯମୁନା ଯିବ ଚହଲି
ଲେଖନୀ ଶବଦ ଜୀବନ୍ଯାସ ପାଇ
କବିତା ପଡିବେ ଝୁଲି ।
ସାତପର ଲାଗେ ଏ ସାରା ଦୁନିଆ
ତାରା ଭରା ଜହ୍ନରାତି
ତୁମେ ଏକା ଲାଗ ନିଜଠୁ ନିଜର
ଆପଣାର ତୁମ ପ୍ରୀତି ।
ଆସ ଗୋ' ମାନିନୀ ଅବଶ ଯାମିନୀ
ଉଛୁର ହେଲାଣି ମନ
କେତେଦିନ ଆଉ ଜହ୍ନ ଆଲୁଅରେ
ଭିଜିବ ଦେହ ଦହନ ।