ପ୍ରଭୁ, ତୁମେ ନିଜେ ଅସହାୟ !
ପ୍ରଭୁ, ତୁମେ ନିଜେ ଅସହାୟ !
ବିପଦରେ ଯେବେ ଅସହାୟ ହୋଇ
ବିକଳରେ ଖୋଜେ ତୁମ ଆଶରା ।
ମୋ'ଆରତ ଡାକ ଶୁଣି ତୁମେ ପ୍ରଭୁ
ମଉନରେ ହସୁଥାଅ ଅସରା ।
ହାତ ଯୋଡି ଯୋଡି ମୁଣ୍ଡ ପିଟି ପିଟି
ବଖାଣୁ ଥାଏ ମୋ' ଦୁଃଖ କାହାଣୀ।
ତଥାପି ଟିକିଏ ଦରଦ ଦେଖେନି
ତୁମରି ଆଖିରେ ଝରେ ନା ପାଣି ।
ମନେ ମନେ ଭାବେ ଜଗତ ଆଖିରେ
ତୁମେ ସାଜିଅଛ ସ୍ୱୟଂ ଠାକୁର ।
ତଥାପି ତୁମର ହୃଦୟରେ ଖାଲି
ଭରି ରହିଅଛି ନିଦା ପଥର ।
କାହିଁକି କେଜାଣି ବାଇଶି ପାହାଚେ
ଦିନ ସାରା ଆଜି ବସି ରହିଲି ।
ଯେତେ ଯାହା ହେଉ ତୁମରି ଶ୍ରୀ ମୁଖ
ଅପଲକେ ଟିକେ ଦେଖିବି ବୋଲି ।
ଯାହା ମୁଁ ଦେଖିଲି ଭାବି ମୁଁ ନଥିଲି
ପରତେ ନ ଗଲା ମୋ' ଦୁଇ ଆଖି ।
ଏତେ ନିଃସହାୟ, ଏତେ ଅସହାୟ
ନିଜେ ତୁମେ ପ୍ରଭୁ, ନୟନ ସାକ୍ଷୀ ।
ସହସ୍ର ସନ୍ତାନ ତୁମରି ଆଗରେ
ଭୋକ ଉପାସରେ ସଂଗ୍ରାମ ରତ ।
ଜଗତ ପାଳନ ତୁମରି ଧରମ
ଜାଣି ଶୁଣି ତୁମେ ନୀରବ ସତ।
ନିଜ ଆଖି ଲୁହ ଗଡେଇବା ପାଇଁ
ଶ୍ରୀ ପାହାଚେ ତୁମ ଆଶରା ନାହିଁ।
ମୋ'ଆଖି ଲୁହକୁ ଧୋଇବାର ପାଇଁ
କିପାଇଁ ଭାବିବି କଳା ଗୋସାଇଁ !