ଭକ୍ତି
ଭକ୍ତି
ରୋମାଣ୍ଟିକ କବି ମାୟାଧର ମାନସିଂହ
ଏକ ଦିନ ନିଶାଶେଷେ ଗୃହ-ବଳଭୀରେ
ଦେଖଇ ନିଶାନ୍ତ-ନଭଃ ପ୍ରାଣସଙ୍ଗିନୀରେ
ବୁଝାଇଲି ସୃଷ୍ଟି କଥା ।ଅନନ୍ତ ଗଗନେ
ଅଗଣ୍ୟ ହୀରକ-ଖଣ୍ଡ ନିଃସର୍ଗ-ଜ୍ଜ୍ୱଳନେ
ଜଳୁଥିଲେ ନିର୍ନିମେଷ; କହିଲି ଦେଖାଇ
' ଏ ଯେଉଁ ଜ୍ୟୋତିର ରେଣୁ-ପୁଞ୍ଜ ନଭଃ ଛାଇ,-
ଏହାର ପ୍ରତ୍ୟେକ,ଏକ ସୌର ପରିବାର
ଗ୍ରହ-ଉପଗ୍ରହ ଘେନି ।ଅଗଣ୍ୟ ସଂସାର
ଭ୍ରମୁଛନ୍ତି ଅନ୍ତରୀକ୍ଷେ; ଏ ମହା-ସୃଷ୍ଟିର
କିଏ ସ୍ରଷ୍ଟା ?' ଅଛି କିଏ ?-ରହି କ୍ଷଣେ ସ୍ଥିର
'ଅଛି' କହି ଏକ ବିନ୍ଦୁ ଭକ୍ତି ସମ ଢଳି
ସ୍ରଷ୍ଟାରେ ନମିଲା ପ୍ରିୟା ମୁଖ ନତ କରି ।
ସମାପ୍ତ