ଯଦି ମୁଁ ମରି ଯାଏ
ଯଦି ମୁଁ ମରି ଯାଏ
ସବୁ ତ ଠିକ ଚାଲିଥିଲା
ଏମିତି ମଝିରେ ମଝିରେ
କାହିଁ ପଚାରି ଦିଅ
"ଯଦି ମୁଁ ମରି ଯାଏ"
ପରି ଅବାନ୍ତର ପ୍ରଶ୍ନ ଟିଏ
ତୁମ କ୍ରୋଧର ଭାଷା
ମୁଁ ଅନେକ ଥର ପଢ଼ିଛି
ଆଉ ବେଶ ବୁଝିଛି
ତୁମ ରୁଷା ଆଉ ଅଭିମାନର ଭାଷା
ସବୁ ବୁଝିଲା ପରେ ବି
ତୁମ ପରି ମୁଁ ବି
ହତପ୍ରଭ ହୋଇଯାଏ
ଯଦି ହଠାତ କେବେ
ତୁମ ଲୁହର ଓଦା ପାଟବିଲରୁ
ଏପରି ଅପରିଚ୍ଛନ୍ନ ପ୍ରଶ୍ନଟିଏ
ମତେ ବିବ୍ରତ କରିବାକୁ
କାଦୁଅରେ ଜଡସଡ଼ ହୋଇ
ଉଠି ଆସେ
"ମୁଁ ଯଦି ମରି ଯାଏ"
କହିଲା ବେଳେ ମୁଁ ଦେଖେ
କେତେ କଷ୍ଟରେ ତୁମ ଗଳା ଡେଇଁ
ଆସୁଥିବା ସେ ଶବ୍ଦ ସବୁକୁ
ଅଧା ତଣ୍ଟିରେ ଅଟକିଥିବା
ଛେପକୁ ଆଉ ଥରେ
ଢ଼ୋକି ନେଲାବେଳେ
କେଡ଼େ ନିରୀହପଣରେ
ମୋ ମୁହଁକୁ ଥରୁଟିଏ ଚାହିଁ ଦିଅ
ମୁଁ ଜାଣିଛି
ସେ ଅପରିକଳ୍ପନୀୟ ସତ୍ୟକୁ
ସାମ୍ନା କରିବାକୁ
ସାହସ ନ ଥାଏ ତୁମର
ମୁଁ ଦେଖେ
କିପରି ମନକୁ ଭୁଲାଇବା ପାଇଁ
ତୁମେ ମୋ ମୁହଁରୁ ନଜର ହଟାଇ
ବାହାରେ ପଡିଥିବା
ପହିଲି ଭାଦ୍ରବର
ଅପରିଷ୍କୃତ ଛାଇମିଶା
ଖରା ଆଡେ
ମଝିରେ ମଝିରେ ଚାହିଁ ଦିଅ
ତୁମ ପ୍ରଶ୍ନର ନୀରବ ଉତ୍ତର
ଚାହାଣୀରେ ଦିଏ ଯାହା
ଅନୁଚ୍ଚାରିତ କେତୋଟି ଶବ୍ଦରେ
କହିଦେବାକୁ ଚାହେଁ
"ତୁମେ ଜାଣିବାକୁ ଚାହୁଁଛ ତ
ମୋର କଣ ହେବ ?"
ଯଦି ସତରେ ସେମିତି କିଛି ହୁଏ
ତେବେ ଶୁଣ, ମୁଁ ଚାଲୁଥିବି
ଗୋଟିଏ ତାରାହୀନ ଆକାଶରେ
ନିଃସଙ୍ଗ ବାଟୋଇଟେ ହୋଇ
ତୁମକୁ ସାଙ୍ଗରେ ନେଇ
ବୁଲାଇ ଦେଖାଉଥିବି
ୟା ଭିତରେ ଘଟି ଯାଇଥିବା
ହଜାର ପ୍ରତିଜ୍ଞା, ସତ୍ୟବାକ୍ୟର ମୃତ୍ୟୁକୁ
ଆଉ ରାସ୍ତା କଡେ
ସେମାନଙ୍କ ଅସଂଖ୍ୟ
ଫୁଲ ଚଢୁ ନ ଥିବା
ସମାଧି ସବୁକୁ
ଦେଖି ପାରିବ ସହଜରେ ମତେ
ଆଉ ମୋ ଜୀବନକୁ
ଜୀବନ ଯେମିତି ସେଠି
ପାଦ ଚିହ୍ନ ପଡି ନ ଥିବା ବେଳାଭୂମି,
କେବେଠୁଁ ପାନିଆଁ ଲାଗି ନ ଥିବା ମୁଣ୍ଡ,
ଶୋଇବା ଖଟର
ଗୋଟିଏ ଅଛୁଆଁ ଗୋଲାର୍ଦ୍ଧ,
ଅବା ମସ୍ତିଷ୍କର ଗୋଟିଏ କୋଣରେ
ଖାଲି ହୋଇଯାଇଥିବା
ସ୍ମୃତିର ଗୋଦାମ ଘର
ମୁଁ ଖୋଜୁଥିବି
ତା ଭିତରେ ହଜି ଯାଇଥିବା
ହଁ ଆଉ ନାହିଁର ଭେଦରେଖା
ଆଉ ଦେଖୁଥିବି
ସ୍ଵକୀୟ ଅନୁକମ୍ପାରେ
ସିଲିଂ ପଙ୍ଖାର ସନ ସନ ଆବାଜ ତଳେ
ନିଦ ଆଉ ସ୍ୱପ୍ନରେ
ନିତି ଘୋଷାଡି ହେଇ
ଚାଲୁଥିବା ମୋ କ୍ଷତାକ୍ତ ଆତ୍ମାକୁ
ଜାଣିଛି
ତୁମେ ଏମିତି ପ୍ରଶ୍ନ ପଚାରି ସାରି
ମୋ ମୁହଁର ଭାବ ଦେଖ
ଗୋଟିଏ ସେକେଣ୍ଡ ଲାଗି
ନିଜେ ଆଖି ଛଳ ଛଳ କରି
ଗୋଟିଏ ଜୀବନର ଯଥାର୍ଥତା ମାପ
କେବଳ ପ୍ରେମରେ
ଆଉ ପ୍ରେମରେ
ତୁମେ ମୋ ପରି
ସମ୍ଭାବନାର ଆଗ ଦ୍ୱାର, ପଛ ଦ୍ୱାର
କଣ ଜାଣିଛ ଯେ
ଜଟିଳ ମୋ ମନର
ସବୁ କଥା ବୁଝେଇ କହିବି ?
କେମିତି ବୁଝାଇବି ତୁମକୁ !
ସେହି ଏକା ପ୍ରଶ୍ନ
"ଯଦି ମୁଁ ମରି ଯାଏ"
ମୁଁ ବି ପଚାରି ପାରି ଥାଆନ୍ତି ତୁମକୁ
ଆଉ ଯେଉଁଥିରେ ତୁମେ
ଅସମ୍ଭବ ରୂପରେ
ଆହତ ହୋଇ ଥାନ୍ତ
ଧନ୍ୟ ତୁମର ବିଶ୍ୱାସ (ଅବା ଭ୍ରମ) !
ଠିକ ଜାଣିଛ
ଏମିତି ଗୋଟେ 'ଯଦି' ଲଗା ଅଶୁଭ ପ୍ରଶ୍ନ
କେବେ ମୁଁ ପଚାରିବିନି
ତୁମେ ସେହି ଅଖଣ୍ଡ ବିଶ୍ୱାସରେ
ଏବେ ବି ଡୁବି ରହିଛ
ମୋ ସହ ଏପରି ଅଘଟଣ
କେବେ ବି ହେବନି
ଏବେ ଜଣା ପଡିଲା
ତୁମ ସେ ଭ୍ରମର କାରଣ
ମୋର ହଜାର ଥର ପଥଭ୍ରଷ୍ଟ ହେବାର
ଅନେକ ଅନେକ ପୂର୍ବରୁ
କେବେ ମୋ ଏକନିଷ୍ଠ ଭଲ ପାଇବାର
ସଚ୍ଚୋଟ ପୁରୁଷଟି
ତୁମକୁ ପାଚିଲା ବାଳରେ
ସିନ୍ଦୂର ରହିବାର ଆଶୀର୍ବାଦଟିଏ
ଦେଇ ସାରିଛି