ସାଧନା
ସାଧନା
ରୋମାଣ୍ଟିକ କବି ମାୟାଧର ମାନସିଂହ
ମୋ ଶୋଣିତ-ବିନ୍ଦୁ ଦେଇ ତବ ଅଶ୍ରୁ-ବିନ୍ଦୁ
ପୋଛିବି ବାସନା ମମ ।ପାର-ହୀନ ସିନ୍ଧୁ
ପାର ହେବି ତବ କଣ୍ଠେ ମୁକ୍ତା ଦେବା ଲାଗି
ବିନତ ଅଞ୍ଜଳିପୁଟେ ; ମୁଗ୍ଧ ଅନୁରାଗୀ
କରିବି ଚରଣ-ପ୍ରାନ୍ତେ ପ୍ରେମ-ଆରାଧନା
ସ୍ତୁତିର ନୈବେଦ୍ୟ ଦେଇ ।ଯେତେକ ବାସନା
ଜାଗ୍ରତ ହୋଇବ ତବ କ୍ଷୁଦ୍ର ବକ୍ଷତଳେ
ସେ ସବୁର ସଫଳତା ତବ ପଦ ପରେ
ନିବେଦିବି ଆଣି ସଖି ପ୍ରାଣ-ପାତ କରି
ତୁମ୍ଭର ଆନନ୍ଦ ଲାଗି ।ପଦ ତବ ଧରି
ମୋ ଶୋଣିତ-ଅଲକ୍ତକ ଅଙ୍ଗୁଳିରେ ମମ
ଆଙ୍କିବି ନିବିଷ୍ଟ ମନେ ।ହେ ପ୍ରିୟ ନିର୍ମମ
ତା ପରେ ବିନୀତ ନେତ୍ରେ କରିବି ଜିଜ୍ଞାସା
'କହ ଦେବୀ, ପୂରାଇବି ଆଉ କିବା ଆଶା !'
ସମାପ୍ତ