ମୌସୁମୀ : ଆଷାଢୀ ଆଳାପ
ମୌସୁମୀ : ଆଷାଢୀ ଆଳାପ
ଏଇ ଶୁଣୁଛ
ମୌସୁମୀ ଆସିଛି
ଅଷାଢ଼ୀ ଆକାଶରେ
ତମ ଗାଁ ନଈପଠା ବିଲଗୋହିରୀରେ
ପାଣି କାଦୁଅରେ ଓଦା ସରସର ହୋଇ
ତୃଷିତ ତମ ମନରେ
କାମନାର ନିଆଁ ଲଗେଇ
ସେ ହସୁଛି ବିଜୟୋଲ୍ଲାସର ହସ
ସେ କି ଜାଣେ
ତମେ ମଗ୍ନ ତପସ୍ୱିନୀଟିଏ
ସିନ୍ଧୁକୁ ଶୋଷି ନେଇପାର
ନୀରବେ ଆଖି ବନ୍ଦ କରି ।
ସେ ଆସିଛି ଆମ ସହରକୁ
ଶତ କଦମ୍ବର ମହକ ନେଇ
ଦୂର ପାହାଡ଼ର ମଥା ଚୁମି
ବିଗୁଲ ବଜେଇ, ରୋଷଣୀ କରି
ପୁଣି ମାଟି ସାଙ୍ଗେ ମିଶି
ନୂଆ କିଛି ରଚିବାକୁ
ଅନେକ ଯୋଜନାର
ଲମ୍ବା ଚିଠା ଧରି ।
ଧେତ୍
ଏ ସବୁତ ବାହାନା
ସେ ଆସିଛି ତମ ଖବର ନେଇ
ଅନ୍ଧାରକୁ ଆଳ କରି
ମୋ ଛାତିରେ ଲୋଟି
ଚୋରେଇନିଏ ଦେହର ବାସ୍ନାକୁ
ବୋଳିଦେଇ ପୁଳାଏ ଗୋଲାପୀ ଅତର
ତମ ଦରଭିଜା ମୁକୁଳା କେଶର
କ'ଣ ବା ଲୋଡ଼ା ମୋତେ !
ବିନ୍ଦୁଏ ପ୍ରେମ ତମର
ଏ ମନରେ ଆହୁରି ଅନେକ ଜାଗା
ଯାହା ପାରିନାହିଁ ମୌସୁମୀ ଓଦା କରି ।