ପ୍ରାର୍ଥନା
ପ୍ରାର୍ଥନା
ରୋମାଣ୍ଟିକ କବି ମାୟାଧର ମାନସିଂହ
କଠୋର ଜୀବନ-ରଣେ ନିତ୍ୟ ପରାହତ
ଦୁର୍ବଳ, ଦରିଦ୍ର, ଦୁଃଖୀ, ଦୀନ ମୁଁ ସନ୍ତତ,
ଜାଣିନି ଜୀବନେ ଅନୁଗ୍ରହ ବିଧାତାର
ତେଣୁ ପ୍ରିୟା ନାସ୍ତିକ ମୁଁ ।ନିତ୍ୟ ହାହାକାର
ଚୌଦିଗେ ଉଠୁଛି ଯେଉଁ ଜୀବ-ଜଗତର
ସେଥିରେ ଅଥବା କେଉଁ ଶିବ-ଶୁଭଙ୍କର
ସ୍ରଷ୍ଟାର ବିଶ୍ୱାସ ମିଳେ ? ଥରେ ଥରେ ଖାଲି
ଭାବେ ଯେବେ କିଏ ଦେଲା ପ୍ରଣୟ-ସଙ୍ଖାଳି
ଅପଦାର୍ଥ ହସ୍ତେ ମୋର,ହୁଅଇ ବିଶ୍ୱାସ
ଅଛି କେହି ସୁଖ-ସ୍ରଷ୍ଟା ବୁଝେ ଯେ ନିଶ୍ୱାସ
ଶୋକ-ତପ୍ତ ମନୁଷ୍ୟର । ଦିନେ ମୁଁ ପ୍ରିୟାରେ
ପଚାରିଲି - 'ଭକ୍ତି କର ଦେବ-ଦେବତାରେ ?'
'ହଁ' ବୋଲି ବୋଲିଲା ସଖି- 'କି କର ପ୍ରାର୍ଥନା ?'
'ତୁମରି ମଙ୍ଗଳ ନିତ୍ୟ କରେ ମୁଁ ଯାଚନା ।'
ସମାପ୍ତ