ଜନଗଙ୍ଗା ଧାରା
ଜନଗଙ୍ଗା ଧାରା
ଦେଖି ବି ନଥିଲି ଏବେ ଏହି ଦିଲ୍ଲୀ
ସତେ କି ମୋ ପୂରା ଦେଶ
ନିତି ଉଠେ ପଡେ ଯାହା ଜଣା ପଡେ
ସମର ହୋଇନି ଶେଷ ।
ନାଲି ନୀଳ ବତୀ ଚମକାଏ ଅତି
ଯେଉଁ ରାଜରାସ୍ତା ଧାର
ତହୁଁ କିଛି ଦୂରେ ବସ୍ତିଘରେ ପୂରେ
ନିଛାଟିଆ ଅନ୍ଧକାର ।
ଲଜ୍ଜାକୁ ବସନ ଶିଶୁକୁ ଅଶନ
ପିଇବାକୁ ନାହିଁ ପାଣି
ବାସହୀନ ପାଇଁ ପଥପ୍ରାନ୍ତେ ଯାଇ
ତମ୍ବୁ ଦେଇଅଛ ଟାଣି ।
ଏବେ ମଧ୍ୟ ଥୋକେ ରହିଥାଉଁ ଭୋକେ
ଯେତେ କହ ହିନ୍ଦୁସ୍ତାନ
ସେ ଜନତା ପୁଣି ପାରିବେ କି ଶୁଣି
ଗାଇଲେ ସଂସ୍କୃତି ଗାନ ?
ଜନଗଙ୍ଗା ଧାରା ପଥେ ଏତେ ସାରା
ପ୍ରତିରୋଧ ଥାଉ ଥାଉ
ବହି ଅବିରଳେ କେବେ ଲକ୍ଷ୍ୟସ୍ଥଳେ
ପହଞ୍ଚି ପାରନ୍ତା ଆଉ ?
ପଥ ଅବରୋଧ ଥିବା ଯାଏଁ କ୍ରୋଧ
ରଖିବ ପ୍ରବାହ ଏହି
ପ୍ରଖର ବି ଦିନେ ହେବ ଧୈର୍ଯ୍ୟ ବିନେ
ରଖି କି ପାରିବେ କେହି !
ଘାତ ପ୍ରତିଘାତ ହେଲେ ହେଉ ଜାତ
ବିଶାଳ ଉପଳ ସମ
ପ୍ରଗତି ପଥରେ ସେସବୁ ସତରେ
ମାତ୍ର କ୍ଷଣସ୍ଥାୟୀ ଭ୍ରମ ।