ନିରୁଦ୍ଦିଷ୍ଟ ଆଜି ମୁଁ
ନିରୁଦ୍ଦିଷ୍ଟ ଆଜି ମୁଁ
ମୁଁ ବା କିଏ ଏଇ ଦୁନିଆ ଭିତରେ
ପରିଚୟ ତ ମୋର ହଜେଇ ସାରିଛି
କୋଉ ଗୋଟେ ଅନ୍ଧାରି କୋଣରେ
ସ୍ୱାଭିମାନ ସବୁ କାହିଁ କେତେଦିନୁ ମୃତ
କବର ବି ତ ଦେଇ ସାରିଛି
କଳଙ୍କର ଶ୍ମଶାନ ଭୁଇଁରେ...
ଖାଲି ଯାହା ବଞ୍ଚିଛି ଏଇ ହୃଦୟଟା
ଚିର ସତ୍ୟ ମୃତ୍ୟୁ ଅପେକ୍ଷାରେ....
କ'ଣ ବା ଆଉ କରନ୍ତା ଯେ
ସେ ବି ତ ଆଜି ସଂଗ୍ରାମରତ
ଅମାନିଆ ମୋ ମନ ସାଥିରେ
ବରାବର ଟକ୍କର ଦେଇ
ଆଶା ଆଉ ଆକାଂକ୍ଷାର କୁରୁକ୍ଷେତ୍ର ଭିତରେ
ମୋ ଅତୀତ ରଥ ଉପରେ ସବାର ହେଇ
କ୍ଷତବିକ୍ଷତ କରେ ମୋତେ
ସ୍ମୃତି ଆଉ ସମ୍ପର୍କର ତୀକ୍ଷ୍ଣ ଅସ୍ତ୍ର ସବୁରେ .....
ତଥାପି ତ ମୁଁ ସହିଯାଏ
ଆଉ କ'ଣ ବା କରନ୍ତି ଯେ
ଯେତେ ଯାହା ହେଲେ କଅଣ
ଅତୀତ କି କେବେ ଫେରିଆସେ
ନା ବର୍ତ୍ତମାନକୁ ଛାଡି ଅତୀତରେ ଜୀଇଁ ହୁଏ
ସେଇଥି ପାଇଁ ତ ମୁଁ ବଞ୍ଚିଛି ଆଜି ସ୍ୱପ୍ନ ରାଇଜରେ
କାଗଜ ଆଉ କଲମ ସହାରାରେ...
ନିରୁଦିଷ୍ଟ 'ମୁଁ' ଭିତରେ 'ମୁଁ' କୁ ଖୋଜିବାରେ...
ମୁଁ ତ ନିରୁଦ୍ଦିଷ୍ଟ ଆଜି ଏ ଧରାରେ
ଅସ୍ତିତ୍ୱ ମୋର ବା କଅଣ ଅଛି
ଫୁଟାଏ ମାଂସ ଆଉ ବୁନ୍ଦାଏ ରୁଧିରର
କେବଳ ଶରୀରଟିଏ ତ ମାତ୍ର
ତା ସାଥିରେ ପୁଣି ମୁଠାଏ ପବନର ଯିବା ଆସିବା
ନ ହେଲେ ଆଉ ଅଛି ବା କଅଣ ମୋ ପାଖରେ
ତଥାପି କାଇଁ ଆଜି ଲାଗେ
ଏଇ ଜୀବନର ବିଫଳତା ଭିତରେ ମୁଁ ଆଜି ସଫଳ
ଜୀବନ ସବୁତକ ସ୍ମୃତି ସାଉଁଟିବାରେ.....