ହେ ମା' ଦୂର୍ଗା
ହେ ମା' ଦୂର୍ଗା
ନୀଳ ନଭେ ନୀଳାମ୍ବୁଦ ଧାରାକି ବୋହିଲା
ମେଘମାଳା ସତେ ଗଙ୍ଗା ଜଳକୁ ଭ୍ରମିଲା
ଧରତୀ ଚାମର ଦେଖ କାଶତଣ୍ଡୀ ହେଲା
କୁମୂଦ କମଳ ଲାଗେ ସ୍ଵାଗତେ ମୋହିଲା ।
ଧରଣୀରେ ଧରାତଳ ପଲ୍ଲବେ ପଟଳ
ମହୀ ସାଜେ ମତ୍ତ ରଙ୍ଗେ ମଦିର କଲ୍ଲୋଳ
ଆଗମନ ହେବେ ମାତା ମୟୁଖ ମଞୁଳ
ମା' ମା ଡାକ ଡାକି ଉଡେ ଗେଣ୍ଡାଳିଆ ମାଳ ।
କାତ୍ୟାୟିନୀ ମାତା ଧରା ଧାମରେ ଧିମାନୀ
ସଙ୍କଟ ତାରିଣୀ ସେ ଯେ ଦୁର୍ଗତି ନାଶିନୀ
କହେ କୋଟି କଣ୍ଠ ତୁ ତ ଅଧିର ଅଧିନୀ
ଦୂର ହେଉ ଦୁଃଖ ଦିନ କଷଣ ଯାମିନୀ ।
ସାନ୍ତ୍ୱନା ଦିଅ ଗୋ ମାତା ସନ୍ତାନେ ବ୍ୟାକୁଳ
ଆଶ୍ୱାସନା ଆଶା ଆମ ସଂସାରେ ସକଳ
ନାଶିବୁ ଦୁଷ୍ଟକୁ ଧରି କରେ କରବାଳ
ମାଗେ ମାତା ଆଶରୟ ତୋହରି ଆଞ୍ଚଳ ।
ମହିଷମର୍ଦ୍ଦିନୀ ମାତ ଦୁର୍ଗତି ନାଶିନୀ
ଭକ୍ତି ଅର୍ଘ୍ୟ ଘେନାକର କରାଅ ପାବନୀ
ନବଦିନେ ନବରସ ନବଧା ଭକତି
ସଦୟ ଗୋ ହୁଅ ମାତ ଭରିଦିଅ ଶକ୍ତି ।
ପ୍ରଶାନ୍ତ କୁମାର ହୋତା