ପୁରୁଷୋତ୍ତମ ଦେବ(20)
ପୁରୁଷୋତ୍ତମ ଦେବ(20)
ପୁରୁଷୋତ୍ତମ ଦେବ(20)
ଐତିହାସିକ କାବ୍ୟାଂଶ
----------------------------
ମନଯାନ ଚଢି ନାରଦ ମହର୍ଷି
ଯାଉଥିଲେ ଆକାଶରେ,
"ନାରାୟଣ ,ନାରାୟଣ " ନାମ ବୀଣା
ଗାଉଥିଲା ସୁମଧୁରେ।
ଆକାଶରୁ ଦୃଷ୍ଟି ସ୍ଥିରକରି ଯତୀ
ଦେଖିଲେ ଶଙ୍ଖକ୍ଷେତ୍ରରେ,
ଧଳା କଳା ଘୋଡା ବଂଧା ହୋଇଛନ୍ତି
ଶ୍ରୀମନ୍ଦିର ପ୍ରାଙ୍ଗଣରେ।
'ଏ'ତ ଜଗନ୍ନାଥ, ବଳରାମଙ୍କର
ଧଳା,କଳା ଘୋଡା ଦୁଇ,
କେଣେ ବିଜେ କରୁଛନ୍ତି ' ଭାଳି ମୁନି
ଯାନ ଦେଲେ ଅଟକାଇ ।
ମନ୍ଦିର ଦୁଆରେ ପହଞ୍ଚି କହିଲେ
"ନାରାୟଣ, ନାରାୟଣ,
କେଉଁ ଶୁଭକାମେ ବିଜେ କରୁଛନ୍ତି
ମୋ ଠାକୁର ଦୁଇଜଣ ?"
ଠାକୁରଙ୍କ ପାଦେ କରି ପ୍ରଣିପାତ
ଲକ୍ଷ୍ମୀଙ୍କୁ ବନ୍ଦନା କରି,
ପ୍ରଭୁଙ୍କ ମୁହଁକୁ ଚାହାନ୍ତେ ଉତ୍ସୁକେ,
ହସିଦେଲେ ଚକ୍ରଧାରୀ।
ପାଇକ ବେଶରେ ପ୍ରଭୁଙ୍କ ମଥାରେ
ପଗଡି,ହାତରେ ଖଣ୍ଡା,
ପୃଷ୍ଠରେ ଫଳକ ,ବୀରବେଶେ ଉଭା
ହୋଇଥିଲେ ବେନି ଭେଣ୍ଡା।
ଦେଖି ଏ ମଣ୍ଡନ,ବ୍ରହ୍ମାଙ୍କ ନନ୍ଦନ
ବୋଇଲେ "ଅପୂର୍ବ ବେଶ !
କାହାକୁ ହାଣିବା ପାଇଁ ଯାଉଛନ୍ତି
ପ୍ରଭୁ ମୋର କେଉଁ ଦେଶ ?
ତ୍ରେତୟା ଯୁଗରେ ଅସ୍ତ୍ର ନଧରି ବି
କେତେକଙ୍କୁ କଲ ଲଣ୍ଡା,
ସାରଥି ହୋଇଲ ଅର୍ଜୁନ ରଥରେ
ଧରିବନି ବୋଲି ଖଣ୍ଡା।
କଳିଯୁଗରେ ତ ନିଦାବିଷ୍ଣୁ ହୋଇ
ବସିଥିଲ ଆଜସରି,
କେଉଁ ଶତ୍ରୁ ଆସି କବାଟ ପିଟିଲା
ବାହାରିଛ ଯୁଦ୍ଧକରି ?"
ହାସ୍ୟରୋଳ ହେଲା ମୁନିଙ୍କ କହିବା
ଭାବ ଭଙ୍ଗି ଦେଖି,ଶୁଣି,
ବୋଇଲେ ଶ୍ରୀଧର "ତୁମ୍ଭ କଳିମୁଣି
ଖୁଜୁବୁଜୁ କି ହେଲାଣି ?
ଲାଗୁଛି ହେ ମୁନି କାଂଚୀଗଡ ଯାଇ
କଳିମୁଣି ଝାଡିଦେଇ,
ଶାଲ୍ୱନରସିଂହ ମତିଭ୍ରମକରି
ଯୁଦ୍ଧ ଦେଇଛ ଲଗାଇ।
ମୋ ସେବକ ରାଜା ହାରିଯାଇଅଛି
ତହିଁ ପ୍ରଥମ ଯୁଦ୍ଧରେ,
କାଂଚୀରାଜା ତାକୁ ନାମିତ କରିଛି
ଘୃଣ୍ୟ ଚଣ୍ଡାଳ ନାମରେ।
ପୁରୁଷୋତ୍ତମର ମାନ ରଖିବାକୁ
ବାହାରିଛୁ ବେନିଭାଇ,
ଉତ୍କଳ ସଇନ ପଛେ ରହି କାଂଚୀ-
ଯୁଦ୍ଧ ଜିଣାଇବା ପାଇଁ ।"
ଶୁଣି ଏ ବଚନ କହି "ନାରାୟଣ,
ନାରାୟଣ " ମୁନି ସାଇଁ,
ବୋଇଲେ " ସାମନ୍ତ ଏଥିରେ ତ ମାତ୍ର
ତୀଳେ ମୋର ହାତନାହିଁ।
କଳିଯୁଗେ କଳି ଲଗାଇବା କାମ
କରୁନି ମୁଁ ବନମାଳି,
ସମସ୍ତେ ତ ଏଠି କଳିହା,ଶହେଟା
ନାରଦଙ୍କୁ ଦେବେ ଗିଳି।"
କହିଲେ ଶ୍ରୀଧର "ଆହେ ମୁନିବର !
କହିଲ ସତ୍ୟ ବଚନ,
ଏ କଳିଯୁଗରେ ତୁମ୍ଭରି କାର୍ଯ୍ଯର
ନାହିଁ ଆଉ ପ୍ରୟୋଜନ।
ଭଲ ହେଲା ଆଉ ବୁଲିବାକୁ ପଡିବନି
ଆକାଶ ପାତାଳ,
ଏ କାମରେ ମାତି ଆହେ ସ୍ୱର୍ଗଯତୀ
ନାହିଁ ତୁମ୍ଭ ମୁଣ୍ଡେ ଚାଳ।"
" ନାରାୟଣ, ନାରାୟଣ "କହି ପୁଣି
ବୋଇଲେ ମୁନି ପୁଙ୍ଗବ,
"ଏ ସାରା ସଂସାର ପାଳନରେ ପ୍ରଭୁ
କିପାଁ କର ଭେଦଭାବ?
ଗଜପତି ପାଇଁ କିପାଁ କର ରଣ,
କି ଦୋଷ କାଂଚୀ ରାଜାର ?
ଏପରି କରିଲେ ପକ୍ଷପାତ ନିନ୍ଦା
ଶୁଣିବ ହେ ଚକ୍ରଧର।"
କହିଲେ ଠାକୁର " ଆହେ ମୁନିବର
କାଂଚୀରାଜା ଅହଂକାର-
ଧ୍ୱଂସ କରିବାକୁ ଗଜପତି ସଙ୍ଗେ
ଏହି ଅଭିଯାନ ମୋର।
କର୍ମକୁ ସମ୍ମାନ ନଦେଇ ରାଜନ
କରେ ବର୍ଣ୍ଣ ଭେଦ ସୃଷ୍ଟି,
ନୀଚ୍ଚ,ଉଚ୍ଚ କର୍ମ ଭେଦରେ ମନୁଷ୍ୟ-
ପ୍ରତି ପାଳେ ଘୃଣାଦୃଷ୍ଟି।
ରଥ ସମାର୍ଜନା କାର୍ଯ୍ଯକୁ ନାମିତ
କରି ଚଣ୍ଡାଳ କର୍ମରେ,
ରାଜାକୁ ଯେ କରେ ଅପମାନ ସେ କି
ଗଣାହେବ ଶାସକରେ !
କାଂଚୀରାଜା ଗର୍ବ ଖର୍ବ କରିବାକୁ
ଏହି ଅଭିଯାନ ମୋର,
ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମୁଁ
ଜଗନ୍ନାଥ ସଭିଙ୍କର।"
କୃତ୍ୟ କୃତ୍ୟ ହୋଇ କହିଲେ ନାରଦ
" ଯାହାହେଉ ନଟବର,
ପାଣ୍ଡବଙ୍କ ପାଇଁ ଯା' କରିନଥିଲ
ଗଜପତିପାଇଁ କର।
ଭକତ ବାନ୍ଧବ ତୁମେତ ମାଧବ
ଆଉ ମୁଁ କହିବି କିସ,
କେତେ ଲୀଳା ଖେଳା ଲଗାଇଛ ପ୍ରଭୁ
ରହି ଏ ଉତ୍କଳ ଦେଶ।"
ମନଯାନ ଚଢି ମୁନି ଗଲେ ଉଡି
" ନାରାୟଣ " ଗାଇ ଗାଇ,
ଧଳା କଳା ଘୋଡା ଚଢି ବାହାରିଲେ
କାଂଚୀ ଯୁଦ୍ଧେ ବେନି ଭାଇ।
କ୍ରମଶଃ-----