ଇଛାର ଇସ୍ତାହାର
ଇଛାର ଇସ୍ତାହାର
ଆସ ନୀଳାକ୍ଷୀ ଆସ
ପୁରୀ କୂଳକୁ ଯିବା
ଊର୍ମୀର ନୀଳ ତରଙ୍ଗେ
କିଛି ସମୟ କାଟିବା ।
ସମୁଦ୍ର ଯଦି ପଚାରେ
ଚୁପି ଚୁପି ତମ କାନରେ
ପାରାବାର ଯଦି ପଚାରେ
ଲୁଣୀ ବାୟୁର ଐକତାନରେ ।
ପ୍ରେମରେ କେବେ ପଡିଛ ନୀଳାକ୍ଷୀ ?
କାହାପାଇଁ କେବେ ମନ ଦେଇଛ ?
କାଉ ଡାକିଲେ କା’ କା’
ଝର୍କା ଖୋଲି ଉଙ୍କି ମାରିଛ
ଆଖି ନଚେଇ କାହାକୁ ଖୋଜିଛ ?
ସ୍ୱାମୀର ସ୍ନେହରେ ଖୋଜୁଥିବ ପ୍ରେମିକକୁ
ବାସର ବିଛଣାରେ ନିଝୁମ ରାତିର ସାଥୀକୁ ।
ଚମ୍ପାକଢି ନଖସବୁ ରଙ୍ଗକଲା ବେଳେ
କିଛି ନେସି ହୋଇଯାଏ କି ?
ପାଦରେ ଅଳତା ଲଗେଇବା ବେଳେ
କିଛି ଢାଳି ହୋଇଯାଏ କି ?
ପରିବା କାଟୁକାଟୁ ଆଙ୍ଗୁଳି କାଟିବସ କି ?
ବେଳେ ବେଳେ ଲାଗୁଥିବ ଏମିତି ସେମିତି
ଅନ୍ଧାରରେ କି’ଏ ଭିଡ଼ି ନେଉଛି ତୁମକୁ
ମନାରେ କୃତିମ ନା’ ନା’ ରେ
ଥାଏ ସମ୍ପୂର୍ଣ୍ଣ ସମର୍ପଣ କି ?
ସମୁଦ୍ର ଯଦି ପଚାରେ
କି ଜବାବ ଦେବ
ମୌନ ତ ରହି ପାରିବନି
କି ଉତ୍ତର ରଖିବ ପ୍ରିୟେ ?
ଆସ ନୀଳାକ୍ଷୀ ଆସ
ହାତ ଧରାଧରି ହେବା
ବୁଲିଯିବା ସମୁଦ୍ରକୂଳ
ଅକୁହା ଅତୀତ ଖୁଣ୍ଟିବା ।