Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Others

3  

Abhakanta

Others

ବର୍ଷା

ବର୍ଷା

2 mins
6.9K


ବର୍ଷା

 

ଆଭାକାନ୍ତ ମହାନ୍ତି

 

ଟିପି ଟିପି ଟିପି            ଝିପି ଝିପି ଝିପି

       ଆସୁଛି କିଏ,

ଧୂଳିବୋଳା ଗଛ          ପତରୁ ପତରେ

       ଗାଧୋଇଦିଏ,

କା' ସ୍ପର୍ଶେ ମାଟିରୁ         ଭିନିଭିନି ଗନ୍ଧ

       ବାହାର ହୁଏ,

ଝାଳୁଆ ଦେହରେ         କାଲୁଆ ପବନ

       କେ' ବୋଳିଦିଏ,

       ମନଟା ମୋହେ ।। ୧ ।।

 

ଛନଛନେ ଆସି           ଛବିଳ ବରଷା

       ଛୁଇଁଲା ଧରା,

କଳକଳେ ବର୍ଷା           ଝରଣାରେ ଢାଳେ

       ଜୀବନ ପରା,

ସୁକୁସୁକୁ ପ୍ରାଣ             ସକସକ ହେଲା

       ଧରିବ ଧରା,

ବାଦଲ ଉପରେ           ବାଦଲ ଛାଇଛି

       ଆକାଶସାରା,

       ମେଲି ପସରା ।। ୨ ।।

 

ବରଷାଟି ବଣ୍ଟା            ଚାରିଟି ଭାଗରେ

       ଗୁଣକୁ ଘେନି,

କୁଣ୍ଡାଝରା ଏକ            ଝିପିଝିପି ଦୁଇ

       ଅସରା ତିନି,

ଦମକାଣି ଚାରି            ଦାଣ୍ଡରେ ଦୁଆରେ

       ବୁହାଏ ପାଣି,

ଲଗାଣ ବରଷା            ବିରକ୍ତି ଯୋଗାଡ଼େ

       ମନରେ ଆଣି,

       କିଆଁ କେଜାଣି ।। ୩ ।।

 

ଆଷାଢ଼ ବରଷା           ପ୍ରାଣେ ଭରିଦିଏ

       ଗହୀରା ଶ୍ୱାସ,

ହନ୍ତସନ୍ତ ମହୀ             ତପତ ଦାଉରୁ

       ହେଲା ଉଶ୍ୱାସ,

ଉସର ପ୍ରାନ୍ତର             ପାଇଲା କଅଁଳ

       ଶ୍ୟାମଳ ସ୍ପର୍ଶ,

ଗଣ୍ଠି ଫୁଲି ଫୁଟି           ଦେଖାଏ ଚାତର

       ବଢ଼ାଏ ବଂଶ,

       ଗ୍ରୀଷମେ ଶେଷ ।। ୪ ।।

 

କେକୀ ମୋହେ କେକା  ନାଚେ ପୁଛ ଟେକି

       ବାଦଲ ଦେଖି,

ପାଣିଲଗା ପର           ଝାଡ଼େ ବାର ବାର

       ଭିଜିଲା ପକ୍ଷୀ,

ଅସରା ଅସରା            ବରଷା ଆସଇ

       କି ଭାବ ରଖି,

ଲୁଚକାଳି ଖେଳେ         ସୂରୁଯଟା ପ୍ରାୟେ

       ବାଦଲେ ଡାକି,

       ସମୟ ଦେଖି ।। ୫ ।।

 

ଖାଦ୍ୟ ଗୋଲାକାରେ            ଗଡ଼େଇ ନେଉଛି

       ଗୋବରପୋକ,

ସରଗରୁ ଶୁଣେ            ଘଡ଼ିଘଡ଼ି ଘଡ଼-

       ଘଡ଼ିର ଡାକ,

ପଇନ୍ତରା ମାରେ          ହେଇ ଡେଇଁ ଡେଇଁ

       ଝିଣ୍ଟିକା ଦେଖ,

କା' ପ୍ରେମେ ବୁଲୁଛି       ପାଗଳ ପରାୟେ

       ପଡ଼ିଆଯାକ,

       ଖୋଲା ମୁଲକ ।। ୬ ।।

 

ସିନ୍ଦୂର ଖଣିରେ            ପଡ଼ିଗଲା କିବା

       ବାଟରେ ଯାଉଁ,

ଦେହସାରା ନାଲି          ବୋଳିହୋଇଗଲା

       ସିନ୍ଦୂର ଛୁଉଁ,

ଅତି ସନ୍ତର୍ପଣେ            ଚାଲେ ଧୀରେ ଧୀରେ

       ନ ଦେଖୁ କେହୁ,

ସଭିଏଁ କୁହନ୍ତି              ନାଲି ଗୁଲୁଗୁଲୁ

       ସାଧବବୋହୂ,

       କୁଆଡ଼େ ଯାଉ ? ।। ୭ ।।

 

ହିଡ଼ ଦାଢ଼େ ବସି          କଟର କଟରେ

       ଗାଉଛି ବେଙ୍ଗ,

ଏକା ଏକା ବସି           କା' ଉପରେ ସିଏ

       ଶୁଝାଏ ରାଗ,

କି' ହେଲା ପଚାରେ              ଝଡ଼ିପୋକଟିଏ

       ଉଡ଼ି ତା ଆଗ,

ବେଙ୍ଗ ଡେଇଁ ଧରି        ଗିଳିଦେଲା ତାକୁ

       ଦେଖାଇ ବାଗ,

       ଇଏ କି ଢଙ୍ଗ ? ।। ୮ ।।

 

ଦଲକାଏ ଜୋରେ         କାଲୁଆ ପବନ

       ବହି ଆସିଲା,

ଦୂରେ କାହିଁ ପ୍ରାୟ         ବରଷା ଅସରା

       ବଳ କଷିଲା,

ବାଦଲ ସେପାରି          ସୂରୁଯ କି ସତେ

       ମଉଜ କଲା,

ଆକାଶରେ ଇନ୍ଦ୍ର-         ଧନୁ ସପ୍ତରଙ୍ଗୀ

       ଏଇ ଦିଶିଲା,

       ଧରା ରସିଲା ।। ୯ ।।

 

ଧାରା ଶିରାବଣ           ଲଗାଣ ବରଷା

       ବରଷିଯାଏ,

ଶିରାବଣ ଛଟା            ଆଷାଢ଼ ବରଷା

       ମନୁ ଭୁଲାଏ,

ଖାଲ, ଖମା, ବିଲ         ଜୋର କି ପୋଖରୀ

       ପାଣି କାଖାଏ,

ବିଲ ବେଉଷଣେ          ପଖିଆକୁ ଚଷା

       ମୁଣ୍ଡରେ ଥୁଏ,

       ଫସଲ ମୋହେ ।। ୧୦ ।।

ଝଡ଼ି ଆଉ ବଢ଼ି            ଶ୍ରାବଣ ବରଷା

       ସାଙ୍ଗରେ ଆଣେ,

ବହୁଳ ବରଷା             ବିରକ୍ତିଆ ଭାବ

       ମନରେ ବୁଣେ,

ଗରିବ ବିଚରା             ବରଷା ଶେଷର

       ଜୀବନ ଗଣେ,

ପ୍ରକୃତିର ଏଇ             ଅପୂର୍ବ ଅଧ୍ୟାୟ

       କିଏ ନଜାଣେ,

       ହୃଦୟ କୋଣେ ।। ୧୧ ।।

 

ନୂଆସାହି, ବିଡାନାସୀ, କଟକ-୭୫୩୦୧୪

ଫୋନ-୯୦୪୦୦୦୩୧୦୧

*****


Rate this content
Log in