ଫିକା କନା
ଫିକା କନା
ଫିକା କନା
ଟିକେ ଅନୁରୋଧ
ଖରା ବର୍ଷା ଖାଇ
ଫିକା ପଡି ଯାଇଥିବା
ଆମ ସମ୍ପର୍କର ଚାଦରକୁ
ହାଣ୍ଡି ପୋଛା କନା କରିବନି
ବରଂ ରୁମାଲ ପରି
ଖଣ୍ଡ ଖଣ୍ଡ କରି ଚିରି ଦେବ ତାକୁ
କେବେ ଜ୍ଵର ହେଲେ
ଓଦା କନା କରି
ମଥାରେ ପାରିଦେଵ ଖଣ୍ଡେ
ଏ କାନରୁ ସେ କାନ ଯାଏ
ତୁମର ଉଷ୍ଣତା ପିଇ ଯିବି
ତୁମ ଓଠରେ ହସ ଫୁଟିବା ପର୍ଯ୍ୟନ୍ତ
ଆଉ ଖଣ୍ଡେକରେ ମାଟି ନେଇ
ବାନ୍ଧି ଦେବ
ତମ ନୂଆ ସମ୍ପର୍କର
କଲମୀ ଡାଳକୁ
ଜାବୁଡି ଧରିବି ତୁମ ମନ ଡ଼ାଳ
ଆଉ ସେହି ଅଚିହ୍ନା ଅନ୍ୟ ଡାଳକୁ
ତୁମେ ତାକୁ
ଅଙ୍ଗୀକାର କରିବା ପର୍ଯ୍ୟନ୍ତ
ଆଉ ଖଣ୍ଡେକୁ ନେଇ
ସେଥିରେ ସାଇତି ରଖିଥିବା
ଛୋଟ ବଡ଼ ସ୍ମୃତିକୁ
ଏକାଠି ଗୋଟିଏ ଜାଗାରେ ବାନ୍ଧି
ଭସେଇ ଦେବ ପାଣିରେ
ଆମ କଥା ଛାଡ !
ହଜି ଯିବା ପୂର୍ବରୁ
ସେମାନେ ତ ଆଉ ଆମ ପରି
ପରସ୍ପରକୁ ନ ଚିହ୍ନି
ଦିଗହରା ହୋଇ ବୁଲିବେନି…….