Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kulamani Sarangi

Classics

3  

Kulamani Sarangi

Classics

ପୁରୁଷୋତ୍ତମ ଦେବ 30

ପୁରୁଷୋତ୍ତମ ଦେବ 30

1 min
217



(ଐତିହାସିକ କାବ୍ୟାଂଶ)


"ଜୟ ଜଗନ୍ନାଥ, ଜୟ ବଳରାମ,

ଜୟ ଗଜପତି" ନାଦେ,

କମ୍ପାଇ ଅବନୀ ଉତ୍କଳ ବାହିନୀ

ଲମ୍ଫଦେଲେ କାଞ୍ଚିଯୁଦ୍ଧେ।


ସକାଳ ସୂର୍ଯ୍ୟର ରକ୍ତିମ କିରଣ

କାବେରୀ ଜଳକୁ ଛୁଇଁ-

ଝଲମଲ ହେବା ପୂର୍ବରୁ ପାଇକେ

ଯୁଦ୍ଧେ ପଡିଥିଲେ ଡେଇଁ ।


ବେନି ସେନାଙ୍କର ରୁଧିରରେ ଲାଲ

ହେଲା କାବେରୀର ନୀର,

ତାସଙ୍ଗେ ଅରୁଣ ବିଭା ମିଶି ଦେଲା

ବିଭ୍ରମ ରକ୍ତନଦୀର।


ଗଜପତିଙ୍କର ଗଜ-ବାହିନୀର

ଭୟଙ୍କର ଆକ୍ରମଣେ,

କାବେରୀ ସୀମାରୁ ଶହେ ଗଜ ଘୁଞ୍ଚି-

ଗଲେ କାଞ୍ଚିର ସଇନେ।


ଅଶ୍ୱାରୋହୀ ସଙ୍ଗେ ଅଶ୍ୱାରୋହୀ,ପଦା-

ତିକ ସଙ୍ଗେ ପଦାତିକ,

ଗଜାରୋହୀ ସଙ୍ଗେ ଗଜାରୋହୀ, ଯୁଦ୍ଧେ

ମାତିଗଲେ ଏକୁ ଏକ।


ଗଜପତିଙ୍କର ପାଟହସ୍ତୀ ଯହୁଁ

ଛାଡିଲା ଉଚ୍ଚେ ପିଙ୍କାର,

ଆଉସବୁ ହସ୍ତୀ ଉର୍ଦ୍ଧ୍ବେ ଟେକି ଶୁଣ୍ଢ

କମ୍ପାଇଦେଲେ ଅମ୍ବର।


ଗଜ,ଅଶ୍ୱଖୁରା ଧୂଳିପଟଳରେ

ଆକାଶ ହେଲା ଆଚ୍ଛନ୍ନ,

ଲାଗିଲା ସତେକି ଉଦୟ ନହେଉଁ

ଦିନମଣି ହେଲେ ଲୀନ।


ଅସି,ଭାଲଘାତେ କା ମୁଣ୍ଡ କଟିଲା,

କା ହାତ ପାଦ ଛିଣ୍ଡିଲା,

ଛିଣ୍ଡା ଅଙ୍ଗମାନ ଯୁଦ୍ଧକ୍ଷେତ୍ରେ ପଡି

ଠକ ଠକ ଡେଉଁଥିଲା।


କାହାର କାନ୍ଧରୁ ହାତ କଟିଯାଏ

ଗୋଡ କଟଇ କାହାର,

କାହା ଶିର କଟି ଶିରସ୍ତ୍ରାଣ ଗୋଟି

ଗଡେ କନ୍ଦୁକ ପ୍ରକାର।


କିଏ ବା ଶତ୍ରୁକୁ ଧରାଶାୟୀ କରି

ଛାତିରେ ବଚ୍ଛା ଭୁଷାଏ,

ଆଉ କେ ଅସିକୁ ପେଟରେ ପୁରାଇ

ଶତ୍ରୁକୁ ଶୂନ୍ୟେ ଉଡାଏ।


ମାର ମାର ଧର ଧର ହାଣିଦିଅ

କାଟିଦିଅ ଶବ୍ଦମାନ,

ପ୍ରକମ୍ପିତ କରୁଥିଲା ଗଗନକୁ,

ଗର୍ଜୁଥିଲା ତୋପମାନ।


ଜୟ ଗଜପତି,ଜୟ କାଞ୍ଚିପତି

ଶବଦେ ଦୁଲୁକେ ମହି,

ଆକାଶେ ଉଡିଲେ ଶ୍ୱେନ,ଗିର୍ଧିନିଏଁ

ରକ୍ତନଦୀ ଗଲା ବହି।


ବିଜୁଳି ବେଗରେ କଳା,ଧଳା ଅଶ୍ୱେ

ଆକାଶେ ଝପଟିଯାଇ,

ଆରୋହୀ, ସୈନ୍ୟଙ୍କୁ ପ୍ରେରଣା ଦିଅନ୍ତି

ଶତ୍ରୁଙ୍କୁ ନାଶିବା ପାଇଁ ।


ଅଶ୍ୱାରୋହୀ ଏହି ଦୁଇ ଯୁବାଙ୍କର

ଚମତ୍କାର ରଣ ଆଗେ,

ଅସହାୟ ହୋଇ କାଞ୍ଚିସେନା ପଛେ-

ଘୁଞ୍ଚିଗଲେ ଦ୍ରୁତବେଗେ।


ଚାହୁଁ ଚାହୁଁ ପ୍ରବେଶିଲା ଦ୍ୱିପ୍ରହର

ତୀବ୍ରହେଲା ଧ୍ୱଂସଲୀଳା,

ପଛକୁ ଘୁଞ୍ଚିଲେ କାଞ୍ଚିସେନା,

ଗଡଦୁର୍ଗର ପତନ ହେଲା।


ପ୍ରବଳୁ ପ୍ରବଳ ହେଲା ତୋପ ମାଡ

ଦୁର୍ଗରେ ରାଜବାଟୀରେ,

ନଗ୍ରର ପ୍ରମୁଖ ସ୍ଥାନରେ,ସେନାର

ଦୁର୍ଗସ୍ଥିତ ଅସ୍ତ୍ରାଗାରେ।


ଲେଲିହାନ ଅଗ୍ନିଶିଖା ସ୍ପର୍ଶ କଲା

କାଞ୍ଚି ଗଡର ଆକାଶ,

ତୋପମାଡେ ଭାଙ୍ଗି ଚୂର୍ଣ୍ଣ ହୋଇଗଲା

ଦୁର୍ଗର ପ୍ରାଚୀରଦେଶ।


ଅନ୍ୟଏକ ତୋପ ପଡି ପ୍ରାସାଦରେ

ଗଭୀର ଗର୍ତ୍ତ ରଚିଲା,

ହାହାକାର ବ୍ୟାପିଗଲା,ପ୍ରାସାଦରୁ

କ୍ରନ୍ଦନ ଧ୍ୱନି ଉଠିଲା।


ଦୁର୍ଗର ପ୍ରାଚୀର ଭାଙ୍ଗିଯିବା ଅନ୍ତେ

ଉତ୍କଳ ପାଇକ ସୈନ୍ୟ,

ପ୍ରବେଶ କରିଲେ ଦୁର୍ଗର ମଧ୍ୟରେ

କାଞ୍ଚିର ହେଲା ପତନ।


(ଯୁଦ୍ଧରେ ଗଜପତି ରାଜାମାନଙ୍କଦ୍ୱାରା ଗୋଳା ବାରୁଦର ପ୍ରୟୋଗ ବିଷୟରେ ଓଡିଶା ଇତିହାସ ନିରବ।କିନ୍ତୁ ବାହାମନୀ ଏବଂ ବିଜୟ ନଗର ସାମ୍ରାଜ୍ୟର ସୈନ୍ୟମାନେ ଗୋଳା ବାରୁଦ ବ୍ୟବହାର କରୁଥିବାର ଐତିହାସିକ ପ୍ରମାଣ ଅଛି।ଗଜପତି ରାଜାମାନେ ସେମାନଙ୍କର ସମସାମୟିକ ହୋଇଥିବାରୁ ଯୁଦ୍ଧରେ ଗୋଳାବାରୁଦ ବ୍ୟବହାର କରୁଥିବା ଅନୁମେୟ) ।


Rate this content
Log in