ପହିଲି ରଜ
ପହିଲି ରଜ
ଆମ ବଗିଚାର ଆମ୍ବ ଗଛ ଡାଳେ
ଲାଗିଛି ରଜର ଦୋଳି,
ଗାଆଁ ଝିଅଙ୍କର ମେଳା ଲାଗି ଅଛି
ଶୁଭେ ହସ ଖିଲି ଖିଲି ।
ପାଟିରେ ଜାକିଛି ବିଡିଆ ପାନ ସେ
ଓଠ ଦିଶେ ନାଲି ନାଲି,
କଉଡି ଖେଳର ଗୋଳ ଶୁଭେ କାହିଁ
କିଏ ଖେଳେ ଲୁଡୁପାଲି ।
ମଞ୍ଜୁଆତି ରଚା ହାତ ପାପୁଲି ତା
ପାଦରେ ଆଳତା ମଖା,
ନୁଆ ଶାଢୀ ତାର ଚକ ମକ କରେ
ରଙ୍ଗ ତାର ଦିଶେ ଚୋଖା ।
ବଉଳ ସଙ୍ଗାତ ମକର ଗୋଲାପ
ସବୁ କୁଆଁରୀଙ୍କ ମେଳ
ବରଷକେ ଥରେ ଆସିଛି ରଜ ଲୋ
ଚାଲି ଅଛି ଦୋଳି ଖେଳ ।
ପୋଡ ପିଠା ଖାଇ ମଉଜ ଚାଲିଛି
ସଖି ଗହଣରେ ବୁଲି
ଘର କାମ ପାଇଁ ବୋଉ ଡାକେ ନାହିଁ
ଭାଇ ସମ୍ଭାଳିଛି ଚୁଲି ।