ରଥଯାତ୍ରା
ରଥଯାତ୍ରା
ଜୀବନ ରଥର କିଏ ସେ ଅଦୃଶ୍ୟ କାରିଗର,
କିଏ ବା ନିପୁଣ ସାରଥି ତାର।
ଅନନ୍ତ କାଳରୁ ଗତିମାନ,ଅନନ୍ତ ଯାତ୍ରା ସତେ,
ଯାତ୍ରାର ନାହିଁ କୌଣସି ଲକ୍ଷ୍ୟ ସ୍ଥଳ,
ନାହିଁ ତାର ପୂର୍ବ ନିର୍ଣିତ ସ୍ଥିତି।
ଦିଗହରା ସମୟର ଧାରାରେ ଚାଲିବାକୁ ବାଧ୍ୟ।
ଦଣ୍ଡ ବିତିଯାଏ,ଏମିତି ବି ବିତେ ଦିନ।
ଦ୍ୱାଦଶ ମାସ, ଷଡ଼ଋତୁର ସାହଚର୍ଯ୍ୟ ପାଇ।
ଜୀବନ ଥମେନା।
ଯେତେ ସବୁ ଦୁଃଖ, ଦୈନ୍ୟ,
ଜରା ବ୍ୟାଧି ସବୁ ଏକତ୍ରିତ ହୋଇ ମଧ୍ୟ,
କବଳିତ କରି ପାରନ୍ତିନି।
ସ୍ଥିର ହୁଏନା ରଥ।
ବାର୍ଦ୍ଧକ୍ୟ ର ଶେଷ ପାହାଚରେ,
କିଛି କ୍ଷଣ ପାଇଁ(ବୋଧେ),
ତିରୋହିତ ହୁଏ।
ପୁଣି ଥରେ ଜୀବନର ରଥ,
ଆପେଆପେ ହୁଏ ଅଙ୍କୁରିତ।
ପୁଣି ଥରେ ସଜ ହୁଏ,
ଯିବାକୁ ଆଉ ଏକ
ଅନନ୍ତ ଯାତ୍ରାରେ।
ଗୁଣ୍ଡିଚା ମନ୍ଦିରରୁ କୋଇଲି ବୈକୁଣ୍ଠ,
ଜରଠରୁ ଶ୍ମଶାନ,
ଷଠୀ ଘରୁ ସ୍ୱର୍ଗଦ୍ୱ।ର,
ମାଆକୋଳରୁ ପୁତ୍ର ସ୍କନ୍ଧ।
ଆରମ୍ଭ ଥାଇ ମଧ୍ୟ ନିରାରମ୍ଭ,
ଅନ୍ତ ଥାଇ ସୁଦ୍ଧା ଅନନ୍ତ।
ଆରତୀ ସାହୁ(ଆଶା)
ବସନ୍ତ ବିହାର
ନୂଆଦିଲ୍ଲୀ