ଦୁଇଟା ପଇଡ଼ ନେବି
ଦୁଇଟା ପଇଡ଼ ନେବି
ଆଉ ଦୁଇ ଟଙ୍କା କଅମ କରୁନ
ଦୁଇଟା ପଇଡ଼ ନେବି ,
ଶୁକୁଟାକୁ ମୋର କାଲି ଠାରୁ ଜର
ନେଲେ ପିଇବାକୁ ଦେବି ।
ଡାକତର ପାଖେ ଦେଖେଇକି ତାକୁ
ଅଉଷଧ ଦେଲି କିଣି ,
ଏଇତକ ଯାହା ପଇସା ବଳିଛି
ଦେଖୁନ ଦେଉଛି ଗଣି ।
ଅନ୍ୟ ଘରେ ନିତି ପାଇଟି କରିକି
ଆଣୁଅଛି ଯାହା ଧନ ,
ସେଇଥିରେ ପୂରା ପରିବାର ଚଳେ
ଗେରସ୍ତ ରୋଗୀଣା ଜନ ।
ସରକାରଙ୍କର ସାହାଯ୍ୟ ବି କିଛି
ମିଳୁଅଛି ଚଳିବାକୁ ,
ତଥାପି ନିଅଣ୍ଟ ହୁଏ ବେଳେବେଳେ
କହୁନାହିଁ ଭଳିବାକୁ ।
ସତ କଥା ଇଏ ମୋର ତେଲ ଲୁଣ
ସଂସାର ଚଳଣି ଯାହା ,
ଆଜି ଉପକାର କରିଥିଲେ-କାଲି
ତୁମକୁ ଯେ ହେବ ସାହା ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ