ମୋ' ମୃତ୍ୟୁ କାହିଁ
ମୋ' ମୃତ୍ୟୁ କାହିଁ
ମଶାଣି ମୁଁ, ମୁଁ ଯେ ଶ୍ମଶାନ ଶୃଗାଳ
ଲେଲିହାନ ହୋଇ
ନିଜେ ମୁଁ ଜଳେ ।
ନିଜେ ଜଳେ ସିନା ଦୁର୍ବାର ଦହନେ
ତେଜୀୟାନ୍ ହୋଇ
ମଣିଷ ଜାଳେ ।
ସଦ୍ୟ ଅର୍ପଣରେ ତୃପ୍ତି ତର୍ପଣର
ମହା ନିର୍ବାଣକୁ
ଅଗ୍ନି ଦହନେ ।
ମଣିଷ ମୃତ୍ୟୁକୁ ମୋକ୍ଷ ଦେବା ପାଇଁ
ମୋ'ନିଷ୍ଠା, କର୍ତ୍ତବ୍ୟ
ସମ୍ମାନ ଜାଣେ ।
ମଶାଣି ମୁଁ; ମୁଁ ତ ସେତିକି ଜଘନ୍ୟ
ସେତିକି ଜହ୍ଲାଦ
କେବେ ବି ନୁହେଁ ।
ଯେତିକି ନିର୍ମମ ଯେତିକି ଜଘନ୍ୟ
ରୁକ୍ଷ ମଣିଷ ତା'
ରକ୍ତରୁ ଚାହେଁ ।
ତାଣ୍ଡବାଗ୍ନି ରୂପ ବିଭତ୍ସ ସ୍ୱରୂପ
ଦାବାନଳ ହୋଇ
ହୁଏ ନିଷ୍ଠୁର ।
ନିଷ୍ଠୁର ସିନା ମୋ' ବହିର୍ଭୂତ ଅଙ୍ଗ
ହୃଦୟ ମୋହର
ନୁହେଁ ପଥର ।
ବିଧାତା ବିଧାନେ ମୋ' ଚରିତ୍ର ଗଢ଼ା
ମୃତ ମଣିଷକୁ
ଜାଳିବା ପାଇଁ ।
ମଣିଷ ଶ୍ରେଷ୍ଠତ୍ୱ ଜନମ ପାଇ ବି
ଜୀବନ୍ତ ମଣିଷ
ଦିଏ ଜଳାଇ ।
ମୋ' ଜୀବନ ଜାଳେ ମଣିଷର ଅନ୍ତ
ଗନ୍ଧ ପୂତମୟ
ଶେଷ ସଂଜ୍ଞାକୁ।
ମଣିଷ ଜାଳୁଛି ଜର୍ଜର ଜ୍ୱାଳାରେ
ଜୀଅନ୍ତା ଶବର
ଅନ୍ତଃନାଡିକୁ ।
ମୋ' ଜନମ ସିନା ଜାଳିବା ପାଇଁକି
ମଣିଷର କୃତ
ଅମାପ ପାପ!
ମଣିଷ ଜନ୍ମ ତ ଧର୍ମ ସଂସ୍ଥାପନେ
ତଥାପି ଅଧର୍ମ
କରେ ଅମାପ ।
ଦହନ କ୍ରିୟାରେ ଜଳି ଜଳିଯାଏ
ତା' ଜୀବନ ସବୁ
କୁକର୍ମ, ପାପ ।
ଆଶୀର୍ବାଦ ସିନା ପାଏ ସେ ସ୍ଵର୍ଗରେ
ମୋତେ ଛାଡିଯାଏ
ଅମାପ ଶାପ ।
ମଣିଷ ପାଇଁ ତ ନିର୍ବାଣ ରହିଛି
ମୋ' ଯକ୍ଷ-ଜୀବନ
ନିର୍ବାଣ କାହିଁ!
ଜଳିବି ଜଳିବି ଜୀଇଁ ଚାଲିଥିବି
ଦୁର୍ଭାଗ୍ୟ ଶ୍ମଶାନ,
ମୋ' ମୃତ୍ୟୁ କାହିଁ!