ମୋହର ଦାସ
ମୋହର ଦାସ
ସାଧନାରେ ସିଦ୍ଧି ସହଜେ ମିଳେନି
ଫଳରେ ଆସକ୍ତି ବଢିଲେ ଅତି
ମୋହାନ୍ଧ ମଣିଷ ଫଳ ପଛେ ଧାଇଁ
ଜାଣେନାହିଁ କେବେ ହରାଏ ମତି ।
ନିର୍ଲିପ୍ତ ଭାବକୁ ଅନ୍ତରେ ନବୁଝି
ଯେତେ ଖଟାଇଲେ ଦେହର ବଳ
ପିଠିର ବୋଝ ହିଁ ପରିଶ୍ରାନ୍ତ କରେ
ଦୂରେ ଘୁଞ୍ଚୁଥାଏ ଇପ୍ସିତ ଫଳ ।
ଫୁଟିଥିବା ଫୁଲ ଦିନ ବିତିଗଲେ
ଝରିବା ଯେଉଁଠି ହୋଇଛି ଲେଖା
ବିଫଳତା ଯୋଗୁଁ ଲୁହ ଝରାଇଲେ
ବଦଳି ଯିବ କି କପାଳରେଖା ?
ଲୁହ ଝରାଇଲେ ଦୂରେଇବେ ମିତ
ଲକ୍ଷ୍ୟସ୍ଥଳ ଦୂରେ ହୋଇଛି ରଖା
ବୁଦ୍ଧିଶୁଦ୍ଧି ସହ କାମ କରି ହସ
ଶତ୍ରୁ ବି ତୁମର ହୋଇବେ ସଖା ।
ଆଖି ଆଗେ ଯହିଁ ଫଳ ଝୁଲିଥାଏ
ବଢି ଚାଲିଥାଏ ପାଇବା ମୋହ
ଫଳ ନମିଳିଲେ ଜୀବନ ହାରିବା
ସମାନ ବଢଇ ପ୍ରାଣର କୋହ ।
ପ୍ରତି ନିଃଶ୍ବାସରେ ଦୃଢ ବିଶ୍ବାସରେ
କାମ କରୁଥିଲେ ନଆସେ କ୍ଳାନ୍ତି
ସଫଳତା ବାଟ ଆପେ ଖୋଲିଯାଏ
ଜୀବନରେ ଭରେ ଅପାର ଶାନ୍ତି ।
କପାଳ କହିଲେ ଆଖି ଉପରକୁ
ଦୃଷ୍ଟି ଆଢୁଆଳେ କରଇ ବାସ
ଅନ୍ଧ ହୋଇ କେହି ତଳମୁହାଁ ଥିଲେ
ସଫଳ ହୁଏ କି ମୋହର ଦାସ !