ସଂଜ୍ଞା ଜୀବନର
ସଂଜ୍ଞା ଜୀବନର
ଭଲପାଏ ତୁମକୁ ଗୋ ଜୀବନର ଧାରା !
ହେଲେ, ସୁଖର ପରିଭାଷା.. ମୋ ଲାଗି ନିଆରା
ଦୁଃଖ ଆଉ କ୍ଳେଶ, ଘାତ ପ୍ରତିଘାତ
ସଂପୂର୍ଣ୍ଣ ଏକାନ୍ତ ମୋର ଆଉ ବ୍ୟକ୍ତିଗତ ।
ବହମାନ ସ୍ରୋତଟିଏ ମୁଁ .....
ବହିଯାଏ ନ ମାନି ପ୍ରତିବନ୍ଧ
ଅଭିନୟ ମୋର ଚରିତ୍ର ଓ ଜୀବନ
ନାହିଁ ଅନୁଶୋଚନାର ତିଳେ ମାତ୍ର ଚିହ୍ନ ।
ସଚ୍ଚା ଅନୁଭବୀ ମୁଁ ଯେ,
ଜାଣିନିଏ ଅନ୍ତରର କଥା ଆଉ ବ୍ୟଥା
ଦରଦୀ ମନର ଯେତେ ଅକୁହା କାହାଣୀ ।
ଚେତନା ଓ ଚିନ୍ତନର ସ୍ତମ୍ଭିତ ରୂପରେ
ଦେଖିଥାଏ ବିବିଧତାର ରୂପ ଚିରନ୍ତନ ।
ହେଲେ ମାପିଚୁପି ପାହୁଣ୍ଡ ପକାଏ,
ଆପଣେଇ ନେଇଥାଏ ବାସ୍ତବ ଜୀବନ ।
କଳ୍ପନା ମୋ ଅସୀମ ଗଗନ, ସୀମାହୀନ ଦିଗନ୍ତ
ସ୍ୱପ୍ନର ତାଳେ ତାଳେ
ନିବିଡ଼ତାର ସ୍ବଚ୍ଛ ପ୍ରତିବିମ୍ବ
ଆତ୍ମାର ପରିଭାଷା ମୋ କବିତାର ଭାଷା
ସୃଜନ ସ୍ପନ୍ଦନ ମୋର ପ୍ରାଣର ଆବେଗ
କବିତା ରୁ ଆରମ୍ଭ ...କବିତା ରେ ଶେଷ ।