Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kara Bijay

Romance

3  

Kara Bijay

Romance

ଏକ ଅଲିଖିତ ଦସ୍ତାବିଜ

ଏକ ଅଲିଖିତ ଦସ୍ତାବିଜ

8 mins
7.4K


  ଏକ ଅଲିଖିତ ଦସ୍ତାବିଜ
                   
                              କେ.ବିଜୟ --------------------------------------------------------------------                        
                                     
         ସେ ଏକ ଅମ୍ଳାନ ଗୋଧୁଳି ।
          ମୁଁ ଛିଡା ହେଇଥିଲି ବେଳା ଭୂମିରେ, ନିବିଷ୍ଠ ଚିତ୍ତରେ ଲକ୍ଷ୍ୟ କରୁଥିଲି ସେହି ଦିଗବଳୟକୁ ।
          ଏକ ଭ୍ରାନ୍ତ ଦୃଶ୍ୟ ।
           ଯେଉଁଠି ସମୁଦ୍ର ଓ ଆକାଶ ଏକାକାର ହେଇ ଯାଇଥିଲା । କିନ୍ତୁ ବାସ୍ତବରେ ..........!
             ଏହା ସମ୍ପୂର୍ଣ ଅବାସ୍ତବ ।
              ଢେଉ ପରେ ଢେଉ ଆସି ବେଳାଭୂମିରେ ମଥା ପିଟୁଥିଲେ । ସାଗରର ଗର୍ଜନ ମୋ କର୍ଣ୍ଣ ଗହ୍ଵରରେ ପ୍ରବେଶ କରିପାରୁ ନଥିଲା । ମୁଁ ନିବିଷ୍ଠ ନିଥର ଦୃଷ୍ଟିରେ କେବଳ ଢେଉ ଗୁଡିକୁ ଚାହିଁ ରହିଥିଲି , ଜୀବନର ଅପରାହ୍ନର ଅନ୍ତିମ ପର୍ଯ୍ୟାୟରେ ।
               ମୋ ଚକ୍ଷୁ ଯୁଗଳ ଲୋତକସିକ୍ତ ହୋଇଯାଇଥିଲା । ଗଣ୍ଡକୁ ସିକ୍ତ କରି ଦୁଇ ଚକ୍ଷୁରୁ ଲୋତକ ଧାର ବହି ଯାଉଥିଲା ।  ମୁଁ ସେହି ଲୁହକୁ ପୋଛିବା ପାଇଁ ଚାହୁଁନଥିଲି । ମୁଁ ଚାହୁଁଥିଲି ମୋ ଲୋତକ ଗ୍ରନ୍ଥିରୁ ସମଗ୍ର ଲୁହ ନିଃଶେଷ ହେଇଯାଉ । ବୁନ୍ଦାଏ ଲୁହ ବି ଯେପରି ବଞ୍ଚି ନଯାଉ ।
             ଏହି ବେଳାଭୂମି , ଏହି ଢେଉ ଆଉ ଏହି ଦିଗବଳୟ ସବୁ ଯେମିତି ଏକ ସୁଖ୍ମ ରୂପରେ ତା' ହୃଦୟର କୌଣସି ଏକ ଅଜ୍ଞାତ କୋଣରେ ଲିପିବଦ୍ଧ ହୋଇ ତା'ର ଉପସ୍ଥିତି ଜାହିର୍ କରୁଛନ୍ତି ।
            ଅନେକ୍ ଅନୁଭୂତି , ଅନେକ ସ୍ମୃତି , ଅନେକ ସ୍ୱପ୍ନ ଏବଂ ଅସଙ୍ଖ୍ୟ ପ୍ରତିଶୃତି ଲିଭି ଯାଇଥିଲା , ଏହି ବେଳାଭୂମିରେ । ପ୍ରତିବଦଳରେ ଏକ ନୂଆ ପ୍ରତିଶୃତି ଆଣି ଦେଇଥିଲା ମୋ ଜୀବନରେ ଏକ ଦାରୁଣ ବିପର୍ଯ୍ୟୟ ।
           ସେହିଦିନ ଏହି ବେଳାଭୂମିରେ , ଆମେ ଦିହେଁ ଦସ୍ତଖତ କରି ଦେଇଥିଲୁ ମନର ଦସ୍ତାବିଜରେ ।
           ଆମ ଜୀବନରେ ଘଟି ଯାଇଥିଲା ଏକ ଦାରୁଣ ପରାଜୟ । ଆଣି ଦେଇଥିଲା ଏକ ଅଜଣା ଉଁଆସ ।
            ଆମେ ଦିହେଁ ହାରି ଯାଇଥିଲୁ , ରକ୍ଷଣଶୀଳତାର ତୁଣୀରରେ ରହିଥିବା ଅସଙ୍ଖ୍ୟ ଅସ୍ତ୍ରର ପ୍ରହାରରେ , ଉଚ୍ଚ ନୀଚର ଭେଦ ଭାବରେ , ସମ୍ଭ୍ରାନ୍ତ ଓ ଦୈନତାର ମଧ୍ୟରେ ଯେଉଁ ରଣ ସଙ୍ଘଟିତ ହୁଏ , ଦୈନତାର ହିଁ ପରାଜୟ ଘଟେ । ଆମେ ଦିଗହରା ହୋଇ ଯାଇଥିଲୁ ।
           ସେହି ଫଗୁଣର ଶୁକ୍ଳପକ୍ଷରେ , ଏହି ବେଳାଭୂମିରେ ଆମେ ଦିହେଁ ଦିହିଁଙ୍କ ନିକଟରେ ପ୍ରତିଶୃତିବଦ୍ଧ ହୋଇ ଯାଇଥିଲୁ , ଦିହେଁ ଦୁଇ ଅଜ୍ଞାତ ଦିଗରେ ଯାତ୍ରା ଆରମ୍ଭ କରିବୁ । ଆଉ ଏ ଯାତ୍ରା ଯେଉଁଠି ଶେଷ ହେଉ ପଛେ, ଯେତେଦୂର ଲମ୍ବିଯାଉ ପଛେ,  କିନ୍ତୁ ଦିହେଁ ଦିହିଁଙ୍କ ଠାରୁ ବିଛିନ୍ନ ହେଲାପରେ ମଧ୍ୟ , ଆମ ମନର, ହୃଦୟର ସମ୍ପର୍କ ବଜାୟ ରହିବ । ଯେହେତୁ , ଆମ ଦିହିଁଙ୍କ ମନ ଓ ହୃଦୟ ଏକ ଓ ଅଭିନ୍ନ ।
          ପ୍ରତିଶୃତି ବି ପାଳନ କରିଥିଲୁ ।
           ଦିହେଁ ଦିହିଁଙ୍କ ଠାରୁ ବିଛିନ୍ନ ହୋଇ ବି , ଆମର ପବିତ୍ର ସମ୍ପର୍କଟି ଅତୁଟ ରହିଥିଲା । ମୋ ସୁଖ ଦୁଃଖରେ ସେ ଭାଗିଦାର ହେଉଥିଲା , ଆଉ ମୁଁ ବି । ଏ ଯାଏଁ ସେ ମୋ ସଙ୍ଗେ ସମ୍ପର୍କ ରଖିଛି , ପ୍ରତ୍ୟୟ ଥରେ ମୋ ସଙ୍ଗେ ଫୋନରେ ନ ଗପିଲେ ସେ ଅସ୍ଥିର ହୋଇଉଠେ । ଆଉ ମୁଁ ବି ତା'ର ଫୋନ୍ କଲ୍ ଟିଏ ନ ପାଇବା ଯାଏଁ ଅସ୍ଥିର ହୋଇଯାଏ । ଛଟ୍ ପଟ୍ ହୁଏ । ଇଛା ହୁଏ , ତା' ସଙ୍ଗେ ପଦେ ଗପି ଥାଆନ୍ତି !
           ପକେଟରୁ ମୋବାଇଲ୍ ବାହାର କରେ,
.          ତା' ନମ୍ବର୍ ଖୋଜି ବାହାର କରେ , କିନ୍ତୁ କଲଟିଏ  କରିପାରେ ନାହିଁ । ମୋ ହାତ ବନ୍ଧା । ମୋ ପଟୁ ଫୋନ୍ କରିବାର ଅଧିକାର ସେ ମୋତେ ଦେଇନଥିଲା । କେବଳ ସେ ଅଧିକାର ତା'ରି ଠାରେ ନିହିତ ଥିଲା ।
           ମୁଁ ବି ଚାହୁଁନଥିଲି , ଆମ ମନର ଦସ୍ତାବିଜରେ ଯେଉଁ ସର୍ତ୍ତାବଳୀ ଗୁଡିକ ଲିପିବଦ୍ଧ ହୋଇ ରହିଥିଲା , ସେହି ସର୍ତ୍ତାବଳୀକୁ ଉଲଙ୍ଘନ କରିବା ପାଇଁ ।
              କିନ୍ତୁ , ଏ କି ଧରଣର ସର୍ତ୍ତାବଳୀ ?
               ଏ କି ଧରଣର ବୁଝାମଣା ?
                ଏଭଳି ବୁଝାମଣା ,ଯେପରି ଆଉ କାହାରି ଜୀବନରେ ନଘଟୁ । କାରଣ ଏହା ଏତେଟା ଯନ୍ତ୍ରଣା ଦାୟକ , ଏତେଟା ନିର୍ଦ୍ଦୟ ଯେ , କୌଣସି ଦୂର୍ବଳ ମନା ମଣିଷ ଅତି ଅନାୟାସରେ ନିଜ ଜୀବନ ଦେଇ ଦେଇପାରେ ।
                କିନ୍ତୁ ମୋ ପାଇଁ ଏହି ଯନ୍ତ୍ରଣା ଗୁଡିକ ହିଁ ମୋ ଆନନ୍ଦର ଉସ୍ଛ । ଆଉ ଏ ଯନ୍ତ୍ରଣା ହିଁ ମୋତେ ଜୀଇଁବା ଶିଖେଇଛି ।
                ମନରେ ଯନ୍ତ୍ରଣା ଯେତେ ବଢି ଚାଲିଛି , ଉଚ୍ଚାଟ ସେତେ ବଢି ଚାଲିଛି । ଅତୀତର ସ୍ମୃତି ଗୁଡିକ ବୁହାଇ ଦେଇଛି , ମୋର ସମଗ୍ର କଷ୍ଟ ଓ କ୍ଳିଷ୍ଟ ଗୁଡିକୁ ଲୋତକ ମାଧ୍ୟମରେ । ପରିଶେଷରେ ଏକ ଦୀର୍ଘଶ୍ଵାସ ଦେଇ ମୋ ମନର ସମଗ୍ର ଦୁଃଖ, ଗ୍ଳାନି ଓ ଯନ୍ତ୍ରଣା ଗୁଡିକୁ ମୋ ହୃଦୟ ଭିତରୁ ପୋଛି ନେଉଛି । ପ୍ରତି ବଦଳରେ ମୁଁ ପାଏ ଅପାର ଆନନ୍ଦ । ମୋ ଭଳି ଏ ଦୁନିଆରେ କିଏ ଅଛି ହାରିଯାଇ ବି ଜିତି ଯାଇଛି ?
                ମୋ ପରାଜୟରେ ହି ମୋର ବିଜୟ ।
                  ପରାଜୟରୁ ହିଁ ମୁ ବିଜୟର ସ୍ୱାଦ ଉପଲବ୍ଧି କରେ । ଏ ଦୁନିଆରେ କିଏ ଅଛି , ରକ୍ଷଣଶୀଳତାର ଦ୍ୱାହି ଦେଇ , ଛୋଟ ବଡ ଭେଦ ଭାବର ଦ୍ୱାହି ଦେଇ ଦୁଇଟି ଅଭିନ୍ନ ହୃଦୟକୁ ପରସ୍ପର ଠାରୁ ବିଚ୍ଛିନ୍ନ କରିପାରିବ ?
                  କେବଳ ଦୁଇଟି ମୂଲ୍ୟହୀନ ପାର୍ଥୀବ ଶରୀରକୁ ହିଁ ବିଚ୍ଛିନ୍ନ କରି ପାରିବେ । କିନ୍ତୁ ଦୁଇଟି ହୃଦୟ କିମ୍ବା ଦୁଇଟି ମନକୁ କେହି କେବେ ବିଚ୍ଛିନ୍ନ କରି ପାରିବେ ?
                   ନାଁ , ଏହା ସମ୍ଭବ ନୁହେଁ ।
                   ଆଜି ଯାଏଁ ମୋ କ୍ଷେତ୍ରରେ ସମ୍ଭବ ହେଇ ପାରିନି ।
                   ରାଧା ଚନ୍ଦ୍ରସେଣାଙ୍କ ପତ୍ନୀ ଥିଲେ ସତ, କିନ୍ତୁ ତାଙ୍କ ହୃଦୟ ଶ୍ରୀକୃଷ୍ଣଙ୍କ ଠାରେ ହିଁ ରହିଥିଲା । ଚନ୍ଦ୍ରସେଣା ଏକ ନପୁଂସକ ପରି ନିଃଶ୍ଚେଷ୍ଟ ହୋଇ ରହିଥିଲେ । ସେ ବେଶ୍ ଜାଣିଥିଲେ , ରାଧା ଏକାନ୍ତ ଭାବେ ଶ୍ରୀକୃଷ୍ଣଙ୍କର ।
                   ମୋ ଛାତି ଥରାଇ ଦୀର୍ଘ ନିଃଶ୍ୱାସ ଟିଏ ବାହାରି ଆସିଲା । ଏକ ଏକାକୀତ୍ୱର ଉତ୍ପୀଡନ , ଏକ ଶୂନ୍ୟତାର ଯନ୍ତ୍ରଣା , ଏକ ପାଇ ହରାଇବାର ଦୁଃଖ ଓ ଏକ ଭାବାବେଗର ଉଚ୍ଛ୍ୱାସ ମୋ ହୃଦୟକୁ ଖିନ୍ ଭିନ୍ କରି ପକାଉଥିଲେ ।
                   ଆଜି ସବୁ କିଛି ପାଇ ବି ମୁଁ ନିଃଶ୍ୱ ହେଇଯାଇଛି । ସୁନ୍ଦର ସମର୍ପିତା ପତ୍ନୀ , ସୁସନ୍ତାନ ସବୁକିଛି ପାଇ ବି କିଛି ଗୋଟାଏ ହଜାଇ ଦେଇଛି ଯେପରି । ସବୁବେଳେ ହଜିଲା ହଜିଲା ଓ ନିଃଶ୍ଵତାର ଭାବନା, ଜୀବନର ଅପରାହ୍ନର ଶେଷ ପର୍ଯ୍ୟାୟରେ ବି ମୋତେ ଯେପରି କ୍ଷତାକ୍ତ କରି ପକାଉଛି ।
                    ଏ କ୍ଷତର ଯନ୍ତ୍ରଣା , ତହିଁରୁ ବହୁଥିବା ରୁଧୀର ମୋ ଦେହ ମନକୁ ଭିଜାଇ ଦେଉଥିଲା । ଏକ ନିଃଶ୍ଵତାର ଜୀବନ । ଛିଃ .....!
                    କାହିଁକି ଏ ଅଲୋଡା ଜୀବନ ?
                      ତଥାପି ମୁଁ ବଞ୍ଚିଛି ଏକ ଜୀବନ୍ତ ଶବ ପରି ।
ନିଜ ଶବକୁ ନିଜେ କାନ୍ଧେଇ ଚାଲିଛି, ଜୀବନର ଅନ୍ତୀମ ଲକ୍ଷ୍ୟ ପଥରେ । ସେହି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ମନରେ ଅସୀମ ବ୍ୟାକୁଳତା ଓ ବ୍ୟଗ୍ରତା ।
                      ତେବେ କେଉଁଠି ସେହି ଲକ୍ଷ୍ୟ ସ୍ଥଳ ?
                        ସେଇ ପୂଣ୍ୟତୀର୍ଥ , ଯେଉଁଠି ପ୍ରତ୍ୟେକ ସ୍ୱଭୀମାନୀ ମଣିଷ,  ଧନୀ ମାନୀ ଓ ରକ୍ଷଣଶୀଳ ଏବଂ ଉଚ୍ଚ ନୀଚର ସଜ୍ଞା ନିରୂପଣ କରୁଥିବା ମଣିଷଙ୍କର ଅନ୍ତୀମ ଲକ୍ଷ୍ୟ ସ୍ଥଳ , ଯେଉଁଠି ସମସ୍ତେ ଏକାଠି ହୁଅନ୍ତି, ସବୁକିଛି ତ୍ୟାଗ କରି , ଯେଉଁଠି ନଥାଏ ସ୍ୱାଭିମାନ, ଅହଂକାର , ରକ୍ଷଣଶୀଳତାର ଭାବନା ଓ ଉଚ୍ଚ ନୀଚର ଭେଦଭାବ, ଯେଉଁଠି ନଥାଏ ଅମାପ ଧନ ସମ୍ପଦର ପ୍ରାଚୁର୍ଯ୍ୟ । ସବୁକିଛି ସତ୍ତା ହରାଇଥାଏ ସେହି ପୂଣ୍ୟ ସ୍ଥଳରେ ଯେଉଁଠି କେବଳ ଛଅ ଫୁଟର ଜମିହିଁ ହୋଇଥାଏ ନିଜର ଅନ୍ତିମ ସମ୍ପଦ । ଯେଉଁଠି ଥାଏ ଏକ ନିଃଶ୍ଵତାର ଏକାକାରତା, ଯେତେସବୁ ନିଃଶ୍ଵ ମଣିଷଙ୍କ ମୁଠା ମୁଠା ପାଉଁଶ , କେଉଁଟି କାହାର ଜାଣିବାର ସମ୍ଭାବନା ନଥାଏ ।
                      ଏକଥା କାହାକୁ ଅଜ୍ଞାତ ନୁହେଁ । ତଥାପି ମଣିଷ ଜୀବିତାବସ୍ଥାରେ ଏହି ଅଲୋଡା ଅନାବଶ୍ୟକ ସଜ୍ଞା ଗୁଡିକୁ ଅତି ମୂଲ୍ୟବାନ ମନେକରି ଅସଙ୍ଖ୍ୟ ପବିତ୍ର ଜୀବନକୁ ନର୍କରେ ପରିଣତ କରି ଦେଇଥାଆନ୍ତି , କେବେ ସେମାନେ ବୁଝିପାରି ନଥାନ୍ତି  କିମ୍ବା ବୁଝିବାର ଆବଶ୍ୟକତା ମନେ କରି ନଥାନ୍ତି ଯେ ଏ ଗୁଡିକ ବୃଥା ଆସ୍ଫାଳନ ବ୍ୟତୀତ ଅନ୍ୟ କିଛି ନୁହେଁ । ଏହା ପ୍ରମାଣସିଦ୍ଧ । ଅଢେଇ ଦିନର ଜୀବନ ନେଇ ମଣିଷ ଏ ଧରାପୃଷ୍ଠକୁ ଆସିଛି । ଏହି ସଂକ୍ଷିପ୍ତ ଜୀବନ ମଧ୍ୟରେ ଯେତେସବୁ ଅବଗୁଣ ଗୁଡିକ , ଅହଂ , ଦ୍ୱେଷ ଓ ଘୃଣା ଗୁଡିକୁ ଆପଣାର କରି ନେଇଥାଏ ! କାହିଁକି ସେ ସ୍ନେହ ,ପ୍ରେମ, ମମତାର ଡୋରିରେ ସଭିଙ୍କୁ ନିଜର କରିବାପାଇଁ  ପ୍ରତିଶୃତିବଦ୍ଧ ହୋଇନଥାଏ ?
                       ଯେତେସବୁ ଧର୍ମ ରହିଛି , ସବୁ ଧର୍ମର ଗୋଟିଏ ଲକ୍ଷ୍ୟ ସ୍ନେହ ପ୍ରେମ ଓ ମମତା । ପୃଥିବୀର ପ୍ରତ୍ୟେକ ପ୍ରାଣୀକୁ ପ୍ରେମ କର, ପ୍ରତ୍ୟେକ ସନ୍ତାନକୁ ପିତୃ ମାତୃ ତୁଲ୍ୟ ମମତାର ଶ୍ରାବଣରେ ଭିଜେଇ ଦିଅ । ପ୍ରତ୍ୟେକ ବ୍ୟକ୍ତିକୁ ଭାତୃ ଓ ଭଗ୍ନୀ ତୁଲ୍ୟ ସ୍ନେହର ବାରିଧାରାରେ ଓଦା କରିଦିଅ । ମନରୁ ଘୃଣା ଓ ଅସୁୟା ଭାବକୁ ବିତାଡିତ କର । ଅନ୍ୟର ଦୁଃସମୟରେ ସହାୟତା  କର । ବ୍ୟାଧିଗ୍ରସ୍ତ ପ୍ରାଣୀଙ୍କୁ ଆକୁଣ୍ଠ ଚିତ୍ତରେ ସେବାକର , ଦେଖିବ ଏ ପୃଥିବୀ କେତେ ସୁନ୍ଦର ହୋଇଉଠିବ ।
                         ଏହାହିଁତ ମାନବ ଧର୍ମ ।
                          ଏହାହିଁ ମାନବିକତା । ଆଉ ମାନବିକତାହିଁ ମଣିଷର ଧର୍ମ । ନିଜ ଅନ୍ତରର ସୈତାନକୁ ବଳି ଦେଇଦିଅ । ପୃଥିବୀର ଯେତେସବୁ ଧର୍ମ , ମନିଷୀିଗଣଙ୍କ ଦ୍ୱାରା ପ୍ରଚାରିତ ହେଇଛି , ସବୁ ଗୁଡିକର ଏକମାତ୍ର ଲକ୍ଷ୍ୟ ମାନବିକତା । ଏଣୁ ମାନବିକତାହିଁ ମଣିଷର ନିଜସ୍ୱ ଧର୍ମ ।
                          ଧର୍ମର ଅର୍ଥକୁ କଦର୍ଥ କରନାହିଁ ।
                           ତଥାପି ଆଜିର ମଣିଷ ଈର୍ଷା ସ୍ୱାର୍ଥପରତା , ଘୃଣା , ଦ୍ୱେଷ ଓ ଅହଂକୁ ଆପଣାର
କରିଛି ,ଏହାହିଁ ଦିନେ ଏହି ବିଶ୍ୱର ସର୍ବନାଶର କାରଣ ହେବ ।
                          ଏ ଗୁଡିକ ଭାବିଦେବା କ୍ଷଣେ ମୋ  ନିଜ ମନରେ ଏହି ସମାଜ ପ୍ରତି ଏକ ଘୃଣାର ବୀଜ ଅଙ୍କୁରିତ ହେଇଯାଏ ।
                           ଦୀର୍ଘ ତିନି ଦଶନ୍ଧି ପୂର୍ବେ । ଠିକ୍ ଏହି ଫଗୁଣର ଶୁକ୍ଳପକ୍ଷ ଅପରାହ୍ନର ଶେଷ ପର୍ଯ୍ୟାୟରେ , ମୁଁ ଏବଂ ସୁଚେତା ଏହି ବେଳାଭୂମିରେ ପିଠିକୁ ପିଠି ଲଗେଇ ବସିଥିଲୁ । ମୁଁ ଲକ୍ଷ୍ୟ କରୁଥିଲି ସେଇ ଭ୍ରାନ୍ତ ସୀମାନ୍ତକୁ । ମୁଁ ଲକ୍ଷ୍ୟ କରୁଥିଲି ସେହି ବିକଟାଳ ସୁଉଚ୍ଚା ଢେଉ ଗୁଡିକୁ । ମୋ ଛାତି ଚିପୁଡ଼ି ହେଇଯାଉଥିଲା । ମୋ ଭିତରର କୋହ ଗୁଡିକ ଯେପରି ସେହି ଉତ୍ତଙ୍ଗ ଢେଉ ପରି ଉଚକି ଆସୁଥିଲା । ମୋ ଦୁଇ ଆଖି ଦେଇ ନିଗିଡି ଆସୁଥିଲା ଅଶ୍ରୁ ରୂପରେ ।
                            ସେହି ଦିନଟି ହିଁ ଥିଲା ମୋର ଅନ୍ତିମ ଦିବସ ସୁଚେତା ସହ ଏକାନ୍ତରେ ମିଳନର ଦିବସ । ସୁଚେତା କଣ ଭାବୁଥିଲା କେଜାଣି , କିନ୍ତୁ ମୁଁ ମୋ କୋହକୁ, ଭାବପ୍ରବଣତାକୁ ସମ୍ବରଣ କରିପାରୁ ନଥିଲି । ମୋ ଦୁଇ ଆଖିରୁ ଅବିଶ୍ରାନ୍ତ ଭାବେ ଗଣ୍ଡକୁ ସିକ୍ତ କରି ବହି ଯାଉଥିଲା ଊଷ୍ଣ ଲୁହର ବନ୍ୟା ।
                              ସୁଚେତା କିନ୍ତୁ ସ୍ଥାଣୁ , ନିର୍ଲିପ୍ତ ଥିଲା। ହୁଏତ ତା' ଚକ୍ଷୁ ଯୁଗଳର ଲୋତକ ଗ୍ରନ୍ଥିରୁ ସମଗ୍ର ଲୁହ ଶୁଷ୍କ ହେଇ ଯାଇଥିଲା । କିନ୍ତୁ ଯାହା ଅବଧାରିତ ତାକୁ କେହି ରୋକି ପାରିବ ?
                               ସୁଚେତା ଅପ୍ରତ୍ୟାଶିତ ମୋ ସାମନାରେ ଆଣ୍ଠେଇ ବସିପଡିଥିଲା । ମୋ ଲୋତକସିକ୍ତ ମୁଖ ମଣ୍ଡଳକୁ ଦେଖି ନିଜକୁ ସମ୍ବରଣ କରିପାରି ନଥିଲା । ମୋ ଚକ୍ଷୁରୁ ବହି ଆସୁଥିବା ଲୁହକୁ ତା'ର ସେହି  କୋମଳ ପାପୁଲିରେ ପୋଛିନେଇ ମୋ ମସ୍ତକକୁ ନିଜ ଛାତିରେ ଜାକି ଧରିଲା । ମୋ କପାଳ , ଗଣ୍ଡ ଦେଶ ଓ ଗ୍ରୀବାରେ ଆଙ୍କି ଦେଇଥିଲା ଅସଙ୍ଖ୍ୟ ଚୁମ୍ବନ । ମୁଁ ଏକ ନିଃଷ୍ପାପ ଅବୋଧ କୋମଳ ଶିଶୁ ଭଳି କଇଁ କଇଁ ହୋଇ କାନ୍ଦି ଉଠିଥିଲି । ନିଜକୁ ତା'ର ନିବିଡ ବାହୁ ବନ୍ଧନର ନିବିଡ ଆଶ୍ରୟରେ ସମର୍ପି ଦେଇଥିଲି । ସେ ମୋ କେଶରେ ତା' କୋମଳ ହସ୍ତକୁ ସଞ୍ଚାଳନ କରୁ କରୁ କହିଥିଲା , " ଆଉ ଉପାୟ ନାହିଁ ଶୁଭ, ଏ ସମାଜ , ଏ ରକ୍ଷଣଶୀଳତାର ଅସୁୟାଭାବ ଓ ଉଚ ନୀଚର ଭେଦଭାବ ଆମକୁ ସ୍ୱଛନ୍ଦରେ ବଞ୍ଚିବା  ପାଇଁ ଦେବେ ନାହିଁ । ପ୍ରେମ ମାନେ କେବଳ ପରିବାରର ସଦସ୍ୟଙ୍କ ସମଷ୍ଠି ନୁହେଁ, ବରଂ ଅସଙ୍ଖ୍ୟ ଭାବପ୍ରବଣତାର ସମାହାର । ଯେଉଁ ପ୍ରେମରେ ପରିବାରର ସମସ୍ତ ସଦସ୍ୟଙ୍କ ଭାବୁକତାର ସ୍ନେହ , ପ୍ରେମର ଉଛ୍ଛସ୍ୱିତ ଭାବ ନଥାଏ ,  ସେଠାରେ ସେହି ପ୍ରେମ ନିଜର ସତ୍ତା ହରାଇ  ଅସଫଳ ହେଇଥାଏ । ତମେ କୁହ , ଦୁଇଟି ପରିବାରର ଅସଙ୍ଖ୍ୟ ଅଭିଶାପକୁ ନେଇ ଆମେ କଣ ଶାନ୍ତିରେ ଘର ସଂସାର କରି ବଞ୍ଚିପାରିବା ? ଏ ସମସ୍ୟାର ନା ତମେ ସମୁଖୀନ ହେଇପାରିଛ ନା ମୁଁ । ଆମେ ଦିହେଁ ଏକ ଦାରୁଣ ବିଫଳତାର ସମୁଖୀନ ହେଇଛୁ । ମୁଁ କେବେବି ଚାହେଁନାହିଁ ଏକ ବିପର୍ଯ୍ୟସ୍ତ ଜୀବନକୁ ନେଇ , ମୋ ସମଗ୍ର ପରିବାରର ସଦସ୍ୟଙ୍କ ଘୃଣାର ପାତ୍ର ହୋଇ ତମେ ମୋତେ ନେଇ ଘର କରିବାର ଯେଉଁ ସ୍ୱପ୍ନ ଦେଖିଛ ,  ସେଭଳି ନହେଉ । ବରଂ ମୁଁ ଚାହେଁ , ମୋ ପରିବାରର ସମସ୍ତ ସଦସ୍ୟଙ୍କ ସ୍ନେହ ସୈହାର୍ଦ୍ଦ୍ୟ ପାଇ , ଆଉ ମୁଁ ବି ତୁମ ପରିବାରର ଅନୁରୂପ ସ୍ନେହ ସୈହାର୍ଦ୍ଦ୍ୟ ,ମମତା ଓ ଆଶିର୍ବାଦ ପାଇ ଘର କରିବାର ସ୍ୱପ୍ନ ଦେଖିଥାନ୍ତେ ହୁଏତ ଆମ ଜୀବନଟା ସୁଖମୟ ହୋଇଉଠନ୍ତା । ବରଂ ମୁଁ ତୁମ ପରିବାରର ସମସ୍ତଙ୍କ ଉପେକ୍ଷା ସହ୍ୟ କରିନେଇ ପାରିଥାନ୍ତି କିନ୍ତୁ ତମେ ମୋ ପରିବାରର ସମସ୍ତଙ୍କ ଘୃଣାର ପାତ୍ର ହୁଅ, ଉପେକ୍ଷିତ ହୁଅ , ଏହା ମୋ ପକ୍ଷେ ଅତ୍ୟନ୍ତ ଅସହ୍ୟ ଉଠିବ ।". ସୁଚେତା ଏକ ନିଃଶ୍ଵାସରେ କହିଦେଇ ମୋତେ ତାର ବାହୁ ମଧ୍ୟରେ ନିବିଡ ଭାବରେ ଧରିନେଇ ମୋ ଛାତିରେ ମୁଁହ ଗୁଞ୍ଜି ଦେଇଥିଲା ।
                      ମୁଁ ମୋ ଛାତିରେ ତା ଉଷ୍ଣ ଲୁହର ସ୍ପର୍ଶ ଅନୁଭବ କରିପାରୁଥିଲି ।
                       ଆଉ ସେହିଦିନ ହିଁ ଆମେ ଦିହେଁ ନିରବରେ ଏକ ଅଲିକ୍ଷିତ ଦସ୍ତାବିଜରେ ନିଜ ନିଜ ମନର କଲମରେ ସ୍ୱାକ୍ଷର କରିଦେଇଥିଲୁ, ଦୁଇଟି ପରିବାର ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି ନକରି , ପରସ୍ପର ଠାରୁ ପୃଥକ ହେଇଯାଇ , ଦୁଇ ବିପରୀତ ଦିଗରେ ଗତି କରିବା ପାଇଁ । କିନ୍ତୁ ଗୋଟିଏ ସର୍ତ୍ତ ଥିଲା ଜୀବନର ଅନ୍ତିମ ମୁହୂର୍ତ୍ତ ଯାଏଁ ପରସ୍ପରକୁ ପ୍ରଚୁର ଭଲ ପାଇବୁ । ଦିହେଁ ଦିହିଁଙ୍କର ସୁଖ ଦୁଃଖରେ ପରସ୍ପର ପ୍ରତି ସମ୍ବେଦନଶୀଳ ହୋଇ ରହିବୁ । ଦିଁହେ ଅନ୍ତତଃ ପ୍ରତିଦିନ ଥରେ ଫୋନରେ କଥାବାର୍ତ୍ତା କରି ଆମର ସଂପର୍କକୁ ଅତୁଟ ରଖିବୁ ।
                         ଏହାହିଁ ମୋ ପାଇଁ ସାନ୍ତୋନା ଥିଲା ।
                          ଉପାୟ ବି ନଥିଲା ।
                            ଅନ୍ଧକାର ଘନେଇ ଆସୁଥିଲା । ମୁଁ ନିରବରେ ଉଠି ଧୀରେଧୀରେ ଆଗକୁ ବଢିଥିଲି , ଆଉ ସୁଚେତା ବି  ଏକ ଅବ୍ୟକ୍ତ  ବିଷର୍ଣତାରେ ମୋତେ ଅନୁଗମନ କରୁଥିଲା । କିନ୍ତୁ କାହାରି ମନରେ ଭାଷା ନଥିଲା ।
------------------------------------------------------------------------


Rate this content
Log in

Similar oriya poem from Romance