ନାରୀ
ନାରୀ
ନାରୀର ସ୍ୱରୂପ ବଖାଣୁଛି ଆଜି,
ଶୁଣିବ କି ଦେଇ ମନ,
ନାରୀ ବ୍ୟତିରେକେ ଏ ବିଶ୍ୱ ବ୍ରହ୍ମାଣ୍ଡେ,
ସ୍ଥିତି ଯେ ଲାଗଇ ଶୂନ ।।
ମାତା ଓ ଦୁହିତା , ଭାର୍ଯ୍ୟା ଓ ସେ କାନ୍ତା,
ସ୍ୱରୁପ ଅଟେ ବିଭିନ୍ନ ,
ଆବଶ୍ୟକ ଅଛି ଏହି ସଂସାରରେ.
ନ ଥିଲେ ହୋନ୍ତା ଅପୂର୍ଣ୍ଣ ।।
ଗୃହର ମଣି ସେ ଅଟଇ "ଗୃହିଣୀ",
ପତନୁ ଉଦ୍ଧାରେ "ପତ୍ନୀ",
ଧର୍ମକାର୍ଯ୍ୟେ ସହାୟତା ସେ କରନ୍ତି,
ବୋଲାନ୍ତି "ସହଧର୍ମିଣୀ" ।।
ଅରିକୁ ନାଶନ୍ତି ତେଣୁ ସେ ଯେ "ନାରୀ',
ଦି-କୁଳ ହିତା "ଦୁହିତା",
ଗୃହ ସ୍ଥିତି ସ୍ଥିର ରଖିଣ ସେ "ସ୍ତିରୀ',
ଗୃହ କାନ୍ତି ସେ ତ "କାନ୍ତା" ।।
ସୁଂଦର ସଂସାର ଗଢି ସେ "ସ୍ୱରୂପା"
କୁଳ ଧନ୍ୟ କରି "କନ୍ୟା" ।
ପ୍ରମାଦରୁ ମୁକ୍ତି ଦେଇ ସେ "ପ୍ରମୋଦା"
ଭାର ସମ୍ଭାଳି ସେ "ଭାର୍ଯ୍ୟା"।।
ମାଟି ଓ ଆକାଶ ସମ ଯେ ଅଟନ୍ତି
ସିଏ ପରା ଆମ "ମାଆ" ।
ପରିବାର ରୂପୀ ସଂସାରେ ସେ ଶିର
ତେଣୁ ସେ ଯେ "ମହନୀୟା" ।।
ମହିୟସୀ ବାଳା ଏଣୁ ସେ "ମହିଳା"
ବିପଦୁ ଉଦ୍ଧାରି "ବୋଉ"
ଏ ସାରା ମରତ ହରାଏ ଅସ୍ତିତ୍ବ
ତାର ସ୍ଥିତି ବିନା ଆଉ ।।
ନାରୀ ସର୍ବଂସହା ନାରୀ ଧାତ୍ରୀ ଜାୟା
ନାରୀ ଯେ ଅଟଇ ବଳ
ନାରୀର ଅସ୍ତିତ୍ବ ହୋଇଲେ ପତିତ
ଧରା ହେବ ରସାତଳ ।।