ବନ୍ଧୁ ବୋଲି ସିନା
ବନ୍ଧୁ ବୋଲି ସିନା
କି ମାଗିବି ପ୍ରଭୁ ବେନି କର ଯୋଡି
ଦେଇଛ ସବୁ ଅଜାଡି
କରୁଣା ବାରିଧି ସିଞ୍ଚନେ ହସୁଛି
ଭକତି ଫୁଲ ଚାଙ୍ଗୁଡି
ତୁମ୍ଭ କୃପା ବିନୁ ଚାଲେନା' ସମୟ
ସୂର୍ଯ୍ୟ ଚନ୍ଦ୍ର ଦିବା ରାତି
ଶ୍ରାବଣ ଝରେନା' ଫଟା ମାଟି ହୃଦେ
ଅଧୂରା ସେ ଋତୁବତୀ
ଇଛାଧାରୀ ତୁମେ ଇଛାରେ ରଚିଛ
ମୋହ ମାୟା ନାଗଫାଶ
ବିପଥ ମଣିଷ ସ୍ୱାର୍ଥ ଅନ୍ଧେ ପିଏ
ତାର ହଳାହଳ ବିଷ
କେଉଁ ପୂଣ୍ୟ ବଳେ ବନ୍ଧୁ କରି ମୋତେ
ବିଷ ମୁକ୍ତ କଲ ହରି
ପ୍ରତିଦାନେ ତୁମ ନାମ ଭଜି ଭଜି
ଏ ଜୀବନ ଯାଉ ସରି
କିଞ୍ଚିତେ ଆଲୋକେ ଦେଖି ପାରୁଥାଏ
ବନ୍ଧୁତ୍ୱର ସେଇ ପଥ
ଯେଉଁ ପଥପରେ ଗଡି ଚାଲୁଥାଏ
ଭାବ ନନ୍ଦିଘୋଷ ରଥ
ଅତୁଟ ରହୁ ଏ ବନ୍ଧୁତ୍ୱ ଆମର
କିବା ଆସୁ ଝଡ ବାଆ
ଭବ ଜଞ୍ଜାଳ ଏ ଅଥଳ ସାଗରୁ
ବାହିନିଅ ମୋର ନାଆ
ବନ୍ଧୁ ବୋଲି ସିନା କହେ ମନ କଥା
ଭାବିବନି ନିଉଛୁଣା
ଭାବ ବନ୍ଧନର ଅତୁଟ ସମ୍ପର୍କ
କରିବନି କେବେ ଉଣା