କବିତା ଗୋ
କବିତା ଗୋ
କବିତା ଗୋ ତୁମେ
ମୋ ଖିଆଲି ମନର ଅଭିଳାଷା
ମୋ ଏକାନ୍ତ ପଣର ପ୍ରୀତି ଭାଷା
ତୁମ ଛନ୍ଦେ ଛନ୍ଦେ ଭରେ ମୋ ପୁଲକ
ତୁମ ସହ ରହେ ଏକା ଏକା ।
କବିତା ଗୋ ତୁମେ
ମୋ ଦରଦୀ ହୃଦର ବନ୍ଧୁଟିଏ
ତୁମେ ବୀଣାର ତାରରେ ସୁରଟିଏ
ତୁମେ ମୋ ଏକାନ୍ତ ପଣର ସାଥୀଟିଏ
ମୋ କଲମ ମୁନରେ ଆସିଯାଅ ଯେବେ
ଦୁନିଆ କୁ ମୁଁ ଭୁଲିଯାଏ ।
କବିତା ଗୋ ତୁମେ
ମୋ କଲମେ ଭରି ସୁଗନ୍ଧ ତୁମରି
ଝରିଯାଅ ଯେବେ କାଗଜରେ
ମୋହିନିଅ ମୋର ଅନ୍ତର ଆତ୍ମାକୁ
ଲେଖେ ମୁଁ କବିତା ଅକ୍ଳେଶରେ ।
କବିତା ଗୋ ତୁମେ
ଭର ଯେବେ ହୃଦେ ପ୍ରୀତିମୟ ବାସ୍ନା
ଲେଖେ କେତେ ପ୍ରେମ କବିତା
ପୁଣି କେତେବେଳେ ଝରିଯାଅ ତୁମେ
ନିର୍ମଳ ଭାବରେ
ଲେଖେ କିଛି ସମାଜ ସଚେତନତା ।
କବିତା ଗୋ ତୁମେ
ଚାଲିଯାଅ ଯେବେ ଉଦାସୀ ମନ ମୋ
ହୋଇଯାଏ ଏକା ଏକା
ଲେଖିଚାଲେ ଖାଲି ହୃଦୟ ବେଦନା
ଯାହା ହୁଏ ବୁକୁ ଫଟା ।
କବିତା ଗୋ ତୁମେ
ମୋତେ ଛାଡ଼ି ଚାଲି ଯାଅନାହିଁ
ଭରି ଦିଅ ରଙ୍ଗ ମୋ ଲେଖନୀ ମୁନରେ
ମୋ ବାକି ଜୀବନଟା ପାଇଁ ।