ଶ୍ରୀ ଜଗନ୍ନାଥ ଉବାଚ
ଶ୍ରୀ ଜଗନ୍ନାଥ ଉବାଚ
ତୁମ ଭକତିରେ ଏତେ ଗଭୀରତା
ବନ୍ଦୀ ମୁଁ
ବନ୍ଦୀ ମୋ'ମୁଖଶାଳା।
ତୁମ ମମତାରେ ଏତେ ଯେ ମହକ
ମୁଗ୍ଧ ମୁଁ
ମୁଗ୍ଧ ମୋ'ମନ ପିଆଲା ।
ତୁମ ଆସକ୍ତିରେ ଏତେ ନିର୍ଲିପ୍ତତା
ସ୍ଥାଣୁ ମୁଁ
ସ୍ଥିରତାରେ ସ୍ଥିତପ୍ରଜ୍ଞ ।
ତୁମ ପ୍ରାର୍ଥନାରେ ଏତେ ବ୍ୟାକୁଳତା
ଅଜ୍ଞ ମୁଁ
ଭକ୍ତ ତୁମେ,ଅଭିଜ୍ଞ ।
ତୁମ ଚାହାଣୀରେ ଏତେ କରୁଣତା
ନିଷ୍ଠୁର ମୁଁ
ବୁଝି ବି ଅବୁଝା ପରି ।
ତୁମ ପରଶରେ ଏତେ ଶିହରଣ
ସ୍ତବ୍ଧ ମୁଁ
ନିର୍ବାକ ନକ୍ଷତ୍ର ସରି ।
ତୁମ ପ୍ରସାଦରେ ଏତେ ଅତ୍ମୀୟତା
ନ୍ୟୁନ ମୁଁ
ନ୍ୟୁନ ମୋ'ଛପନ ଭୋଗ ।
ତୁମ ଅର୍ଚନାରେ ଏତେ ମାଦକତା
ସ୍ନିଗ୍ଧ ମୁଁ
ସ୍ନିଗ୍ଧ ମୋ'ହୃଦୟ ରାଗ ।
ତୁମ ହୃଦୟରେ ଏତେ ପବିତ୍ରତା
କପଟୀ ମୁଁ
ଜାଣି ବି କପଟ କରେ ।
ତୁମ ଅଗଣାରେ ତୁଳସୀ ମହକ
ମୋ'ଅଗଣା
କାର୍ପଣ୍ୟରେ ଝୁରି ମରେ ।
ତୁମ ଜଣାଣରେ ସୁର ସୁମଧୁର
ବେସୁରା ମୁଁ
ରାଜକୀୟ ଅନୁରାଗେ ।
ତୁମ ନର୍ତ୍ତନରେ ଛନ୍ଦ ସୁଲଳିତ
ବେବଶ ମୁଁ
ତୁମରି ନୃତ୍ୟ ଆଗେ।
ସବୁଥିରେ ତୁମେ ରହିଛ ଆଗୁଆ
ସ୍ଥାଣୁ ମୁଁ
ନାମକୁ ସିନା ଈଶ୍ୱର ।
ତୁମେ ମୋ' ଭକତ ମୋ'ପ୍ରିୟ ପ୍ରେମିକ
ବନ୍ଦୀ ମୁଁ
ବନ୍ଦୀ ମୋ'ଗୁଣୀ ଅନ୍ତର ।