ଛାଡଖାଇ
ଛାଡଖାଇ
ମାସ ଆରମ୍ଭରୁ କରିଥିଲେ ପତ୍ନୀ
ତାଗିଦା ଜବର କରି
‘ସବୁ ଓଷାବ୍ରତ ପୋଡି ଖାଇଲଣି
ବିଦେଶରେ ଘର କରି ।
ଆଜି ଠାରୁ ସବୁ ନୀତି ନିୟମକୁ
ପାଳିବାଟା ହେଲା ସ୍ଥିର
କରିବାକୁ ହେବ ବନ୍ଦ ତୁମର
ମନଇଚ୍ଛା କାରବାର ।
କାର୍ତ୍ତିକ ମାସଟା ବଡ ପୂଣ୍ୟ ମାସ
କଣ୍ଟ୍ରୋଲେ ରଖିବ ଜିଭ
ବର୍ଷସାରା ଯେତେ ପାପ କରିଅଛ
ସେଥିରେ ଉଭେଇ ଯିବ ।
ଖାଇବନି ତୁମେ ପିଆଜ ରସୁଣ
ଛୁଇଁବ ନାହିଁ ଆଇଁଷ
ବାର ବରଷର ତପସ୍ୟା ନୋହିଲେ
ଏକା ଦିନେ ହେବ ଶେଷ ।‘
ପତ୍ନୀଙ୍କ କଥାରେ, ଦାନ୍ତ କାମୁଡିକି
ନୀରବେ ରହିଲେ ବାବୁ
ବିନା ଆଇଁଷରେ ଥାଳି ପାଖେ ବସି
ନକରି ପାରନ୍ତି ଚଳୁ ।
ସବୁ ଜାଣି ଯଦି ପତନୀ ତାଙ୍କର
ଅଜବ ନିୟମ କାଢେ
ରାଗ ମାଡିଲେ ବି ବିଚରା ପତିକୁ
ଶୁଣିବାକୁ ସବୁ ପଡେ ।
ହଁ ହାଁ କରି ପତ୍ନୀର କଥାରେ
ଜଣାଇଦେଲେ ସମ୍ମତି
ଜାଣିଥିଲେ କିନ୍ତୁ ଦିନେ ଦୁଇ ଦିନେ
ଆସିଯିବ ଦୁର୍ଗତି ।
ବଜାରରେ ବୁଲି ଦେଖିଲା ବେଳକୁ
ଫକାସ ଯାଉଛି ଉଡି
କଅଣ କିଣିବେ, କେତେ ବା କିଣିବେ
ସବୁ ତ ଯାଇଛି ବଢି ।
ଦେଶୀ ଆଳୁ ଦର ଶହେ ଟଙ୍କା କହେ
ଓଉ ତ ସାତ ସପନ
ତା’ଠାରୁ ସୁଲଭ ଚିଙ୍ଗୁଡି କଙ୍କଡା
ମାଉଁସ ଆଉ ଚିକେନ ।
ମାଉଁସ ଦୋକାନୀ ମୁଣ୍ଡେ ହାତ ଦେଇ
ଚାହିଁଅଛି ବସି ବାଟ
କେବେ ତା’ର ବଡ ଗରାଖ ଆସିବେ
ସରିବ ତାଙ୍କ କାର୍ତ୍ତିକ !
ଦୁଇ ତିନି ଚିଜ କିଣୁ କିଣୁ ପର୍ସ
ହୋଇଗଲା କେତେ ଖାଲି
ଆଖି କାନ ବୁଜି ଧାଇଁଲେ ଘରକୁ
ପ୍ରାଣ ହେଲା କିଲିବିଲି ।
କି ମିଳିବ ସେଇ ପାପ ଓ ପୂଣ୍ୟରୁ
ଉଡାଏ ଯେ ଆଖି ନିଦ
ପୂଣ୍ୟ କରୁ କରୁ ପୂରା ମାସ ଯାକ
ଅନିଦ୍ରାରେ ବିତିଥିବ !
ବଅନ୍ଦ ଆଖିର ପରଦା ଉପରେ
ଦିଶେ ଆଇଁଷର ରୂପ
ପତ୍ନୀ କରୁଥାଉ ପୂଣ୍ୟ ଅର୍ଜନ
ତାଙ୍କୁ ଭଲ ତାଙ୍କ ପାପ ।
କାର୍ତ୍ତିକ ମାସଟା ନିଷ୍ଠାରେ ପାଳିଲେ
ମାଉଁସ କୁକୁଡା ଖାଇ
ମାସ ସରୁ ସରୁ ରେଡି ହେଇଗଲେ
କରିବାକୁ ଛାଡଖାଇ ।
ମାସ ଯାକ ଗଲା ଯେମିତି ସେମିତି
ପଞ୍ଚୁକର ପାଞ୍ଚ ଦିନ
ବିନା ପିଆଜର ଖାଇବାକୁ ସବୁ
ଜାରି ହେଲା ଫରମାନ ।
‘ଏ ପାଞ୍ଚ ଦିନର ମହିମା ଏପରି
ବଗ ବି ଛାଡଇ ମାଛ
ମଣିଷ ଜନମ ପାଇ ମଧ୍ୟ ତୁମେ
ବଗ ଠାରୁ ହେଲ ତୁଚ୍ଛ !’
ମନେ ମନେ ବାବୁ ହିସାବ କରିଲେ
ରବିରେ ପଡେ ପୂର୍ଣ୍ଣିମା
ଛାଡଖାଇ ସୋମବାରେ ପଡିଲେ ବି
ଆଇଁଷ ଖାଇବା ମନା ।
ମଙ୍ଗଳବାରଟା ଗଣେଶଙ୍କ ଦିନ
କହିଥିଲେ ନନା ଜଣେ
ଆଇଁଷ ବର୍ଜନ କରିବାକୁ ହେବ
ନହେଲେ ପାଇବ ପାନେ ।
ଏହି ଦୁଇ ଦିନ ବଡ କଷ୍ଟରେ
ଛାଡିଛନ୍ତି ସେ ଆଇଁଷ
ଅନ୍ୟ ଦିନ କଥା କହିଲେ ରାଗରେ
ଉଠିଯାଏ ଉର୍ଦ୍ଧଶ୍ବାସ ।
କହିଲେ ପତ୍ନୀକୁ, ‘ତୁମ କଥା ରଖି
ଶପଥ କରୁଛି ମୁହିଁ
ଖାଇବାକୁ ଦେଲେ ପଞ୍ଚୁକେ ଆଇଁଷ
ଛାଡଟା କରିବି ନାହିଁ ।
ଏଇ ପାଞ୍ଚ ଦିନ ଖାଇ ଦଉଛି ମୁଁ
ଛୁଟି ଦୁଇ ଦିନ ପାଇଁ
ଅରୁଚି ହେଲେ ବି ଆଇଁଷର କଥା
ତୁଣ୍ଡରେ ଧରିବି ନାହିଁ ।‘
ଯୁକ୍ତି କରି ଲାଭ ନାହିଁ ଯେଣୁ ପତ୍ନୀ
ପାଟିରେ ଥୋଇଲେ ହାତ
ପଞ୍ଚୁକରେ ମାଛ ମାଂସ ସଙ୍ଗେ ବାବୁ
ଖୁସିରେ ଖାଇଲେ ଭାତ ।
ବୁଧବାର ରାତି ନପାହୁଣୁ ବାବୁ
ଧାଇଁଲେ ବଜାର ଆଡେ
ଖଣ୍ଡେ ବାଟେ ଗାଡି ଥୋଇବା ପାଇଁକି
ପୁଲିସି ହୁଇସିଲି ଛାଡେ ।
ମାଉଁସ ଦୋକାନ ଆଗରେ ଲମ୍ୱିଛି
ବିରାଟ ଲମ୍ପା ଲାଇନ୍
ସତେ କି ରାସନ ଦୋକାନରେ ଜମା
କିଣିବାକୁ କିରାସିନ୍ ।
ମାସ ଯାକ ପୂଣ୍ୟ କରି କରି ଥେୟା
ହେଇଛନ୍ତି ହବିଷ୍ୟାଳି
ପାଟିର ଅରୁଚି ଛାଡ କରିବାକୁ
ଧଡାଧଡ୍ କଟେ ଛେଳି ।
ମାଉଁସର ଦର ଆଠ ଶହ ଆଉ
ଚିକେନ ଆକାଶ ଛୁଆଁ
ମାଛ ଚିଙ୍ଗୁଡିକୁ ଯିଏ ପଚାରିବ
ଭୁଲିଯିବ ନିଜ ନାଆଁ !
ତଥାପି ଦାନ୍ତକୁ କାମୁଡିକି ବାବୁ
ଠିଆହେଲେ ଲାଇନିରେ
ଦୁଇ ଘଣ୍ଟା କାଳ ଠେଲାପେଲା ଖାଇ
ପହଞ୍ଚିଗଲେ ଶେଷରେ ।
ଦୋକାନୀକୁ ଆଜି ଫୁରୁସତ ନାହିଁ
ପଚାରୁନି ଭଲମନ୍ଦ
ମାଉଁସ ନାଆଁରେ ଦଉଛି ଯାହାକୁ
ଦେଖିଲେ ମାଡୁଛି କାନ୍ଦ ।
ଅଭିଯୋଗ କଲେ ଗାରଡେଇ ଚାହିଁ
କହୁଛି ଛିଞ୍ଚାଡି ମୁହଁ
‘ଯିଏ ଦେବ ଭଲ ମାଉଁସ ମୋ’ଠୁ
ତା’ ଦୋକାନୁ ଯାଇ ନିଅ ।‘
ଏଇ ଲୋକ କେତେ ନେହୁରା ହେଇକି
ଦଉଥିଲା କାର୍ତ୍ତିକରେ
ଭୁଲିଯାଇଅଛି ସାମାନ୍ୟ ଭଦ୍ରାମୀ
କାର୍ତ୍ତିକ ସରିଲା ପରେ ।
ଆଖି ନାକ ବୁଜି ଆଣିଲେ ସେ ଯାହା
କୁକୁର ବି ନଖାଇବ
କଅଣ କରିବେ ପାଟି ତ ଅବୁଝା
ମନା କଲେ କି ମାନିବ !
ବର୍ଷସାରା ଯଦି ରୁହନ୍ତା କାର୍ତ୍ତିକ
ହୁଅନ୍ତା କେତେ ସୁବିଧା
ଆରାମରେ ସିଏ ଖାଉଥାନ୍ତେ ମାଂସ
ପତ୍ନୀ ଖାଉଥାନ୍ତା ସାଧା ।
ଦୋକାନୀବାଲାଟା ପଛରେ ଗୋଡେଇ
କରୁଥାନ୍ତା ଖୋସାମତ
କାଟି ଦଉଥାନ୍ତା ଛେଳିର ଫଡିଆ
ନକରିକି ହନ୍ତସନ୍ତ ।
ଠାକୁରଙ୍କ ପାଖେ କରନ୍ତି ଗୁହାରି
ଦେଇ ମନ ଚଇତନ
‘ପ୍ରଭୁ ହେ ଦେଇଛ ଯଦି ଏଇ ଜିଭ
ରଖ ସଦା ତା’ର ମାନ !!’
-0-