ଫଗୁଣ
ଫଗୁଣ
ବିନୟ ମହାପାତ୍ର
ଫଗୁଣ ଗୋ,
ବଡ ଖୁସି ଲାଗିଲା,
ପୁଣି ଥରେ, ବସନ୍ତରେ,
ତୁମ ସଙ୍ଗେ ଦେଖା ହୋଇଗଲା ।
ମୋ ଅଗଣାର ରଙ୍ଗ ବିରଙ୍ଗି
ଫୁଲ ଗହଳିରେ,
ମହ ମହ ଫୁଲର ବାସ୍ନାରେ,
ଥିରି ଥିରି ମଳୟର ପରଶରେ,
ପ୍ରଜାପତିର ରଙ୍ଗିନ୍ ଡେଣାରେ
ଭ୍ରମରର ଗୁଣୁ ଗୁଣୁ ଗୁଞ୍ଜନରେ,
ତୁମରି ସଙ୍ଗ ମିଳିଗଲା ।
ଫଗୁଣ ଗୋ,
ତୁମେ ତ ଜମ୍ମାରୁ ବି ବଦଳିନ,
ଠିକ୍ ସେମିତି ଲାଗୁଛ,
ଯେମିତି ଲାଗୁଥିଲ ମୋର ସେ
ଯୌବନର ପ୍ରଥମ ବର୍ଷରେ,
ତୁମରି ପ୍ରତି ଟି ଆଗମନ
କାହିଁକି ଆନମନା କରିଯାଏ,
ଉନ୍ମତ ମନକୁ ମୋର,
କରିଯାଏ ଆହୁରି ଚଗଲା ।
ମନ ହୁଏ, ପୁଣି ଥରେ,
ପ୍ରେମିକଟିଏ ହୋଇଯିବା ପାଇଁ,
ଏ ଫୁଲର, ଏଇ ପ୍ରଜାପତିର ଆଉ,
ସେଇ ଜୋତ୍ସ୍ନା ବିଚ୍ଛୁରିତ ରାତ୍ରୀର ।
ଫଗୁଣ ଗୋ,
ଏତେ ନିଶା କେଉଁଠୁ ଚୋରାଇ ଆଣ,
ମହୁଲ ଫୁଲର, ଆମ୍ବ ବଉଳର,
ସେ ମଦହୋସ କଲା ପରି ବାସ୍ନା ।
ଫୁଲରେ, ଫୁଲରେ ଭରିଯାଅ ଯାଦୁ,
ଭ୍ରମର ତ ଭ୍ରମର, ମନ କୁ ମୋ,
ପାଗଳ ପ୍ରେମିକଟିଏ କରିଯାଅ ।
କେଉଁଠୁ ନେଇ ଆସ ଏତେ ରଙ୍ଗ,
ଫୁଲରେ, ଫୁଲରେ ଭରିଯାଅ,
ଖୁବ୍ ପୋଖତ ଶିଳ୍ପିଟିଏ ପରି ।
ଶୋରିଶ, ସୂର୍ଯ୍ୟମୂଖୀ
ଫୁଲର ରଙ୍ଗରେ,
ଦୂର ଦିଗବଳୟ ଯାଏ,
ସବୁଥିର ହଳଦିଆ
ରଙ୍ଗ ଲେପି ଯାଏ ।
ଗୋଲାପର ସେ
ଗୋଲାପି ଗୋଲାପି ଛଟା,
ସାତରଙ୍ଗି ଫୁଲର ସମ୍ଭାର ନେଇ,
ବନ ଉପବନ ଯୌବନର ଚରମରେ
ରଙ୍ଗର ପଶରା ମେଲାଇଯାଏ ।
ରଙ୍ଗର ମେଳା ଲାଗିଯାଏ,
ଫୁଲ ତ ଫୁଲ, ଏଠି
ମନ ବି ମୋ ରଙ୍ଗିନ ହୋଇଯାଏ ।
***$ ***