ଯିଏ ଜୀବନ ବଞ୍ଚାଏ
ଯିଏ ଜୀବନ ବଞ୍ଚାଏ
ଆକାଶ ମେଘାଚ୍ଛନ୍ନ
ମେଘ ବି ଭାସମାନ,
ଅପସରି ଯିବା ପୂର୍ବରୁ
ହେମାଳ ପବନରେ
ଟୋପା ଟୋପା ବର୍ଷା ହୋଇ
ଆକାଶରୁ ଗଳିପଡିବ ।
ମାଟିକୁ ଭିଜେଇ
ଗଡିଆ, ପୁଷ୍କରିଣୀ ପୁର୍ଣ କରି
ଝରଣା ହୋଇ
ନଦୀକୁ ବୋହି ଯିବ ।
ତାପରେ ମେଘମୁକ୍ତ ଆକାଶରେ
ଫୁଲ ଫୁଟିବ,
ବିଜୁଳି ବତୀ ପରି
ଜହ୍ନ, ଆକାଶର ବତୀଖୁଣ୍ଟରେ ଝୁଲିବ ।
ପାଣି ଟୋପାଏ ପାଇଁ
ବୃକ୍ଷ ଲତା,ଜୀବ ଜନ୍ତୁ
ସମସ୍ତେ ଆକାଶ ମୁହାଁ,
ପ୍ରେମିକ, ପ୍ରେମିକା ବି
ଭାରି ଆନମନା ।
ବର୍ଷାର ବର୍ଷଣରେ
ହସିବ ବନସ୍ପତି,
ଫୁଲରୁ ଫୁଲକୁ ଡେଇଁ
ଖେଳିବ ପ୍ରଜାପତି,
ସବୁଜ ଭରା ପଡିଆରେ
ଝୀଂଟିକା ସ୍ବପ୍ନ ଦେଖିବ
ଘାସ ଗାଲିଚାରେ ବସି ।
ବେଳେବେଳେ ମେଘ
ବିଜୁଳି ଚାବୁକରେ
ବାଘ ପରି ହେଂଟାଳିବ,
ତା' ଦେହରୁ ବର୍ଷା ଫାଟି
ଅବିଶ୍ରାନ୍ତ ଥପ ଥପ ଝରିବ ।
ଟପ ଟପ ଝରିବ କଦମ୍ବ ଗଛରେ,
ଝିଙ୍କାରୀଙ୍କ କୋରସରେ
ଗଜଲ ଗାଇବ ବର୍ଷା
ନିର୍ଜନ ଅନ୍ଧାର ରାତିରେ ।
ସାରୁ ପତ୍ରରେ ନାଚିବ
ପାରଦ ପରି ଢଳି ଢଳି
ଗୋଟିଏ ପତ୍ରରୁ ଅନ୍ୟ ପତ୍ରରେ ।
ଦଂଶନ କରେ ବି
ଦେହ,ପ୍ରାଣ, ମନକୁ
ତା' ସମ୍ମୋହନ ଶକ୍ତିରେ ।
ପୃଥିବୀରେ ଜମିଥିବା ଧୂଳିକୁ
ଘଷି ମାଜି ସଫା କରି
ସଂଜୀବନୀ ଶକ୍ତି ଭରି
ମାଟିରେ ଆଶ୍ରୟ ନେବ ।
ସେ ସେଇ ମେଘ
ଯିଏ ବର୍ଷା ଢାଳେ
ବର୍ଷା ଯିଏ ଜୀବନ ବଞ୍ଚାଏ,
ଦେହ ଓ ମନକୁ
ପୁଲକିତ କରେ,
ମେଘ, ବର୍ଷା, ପୁଲକ
ସ୍ମୃତିରେ ଚିରକାଳ
ବସା ବାନ୍ଧି ରହେ ।