ଦୁଃଖ
ଦୁଃଖ
ସକାଳର ଟୋପା କାକର ପରି
ଦୁଃଖ ଆସେ
ଆଖି କୋଣକୁ
ଟିଉସନ ପରେ
ରୋଷେଇ କରି ଖାଇ ସାରିଲା ପରେ
ବାସନ ଧୋଇ ଶେଯ ଶୁଙ୍ଘିଲା ପରେ ।
ବେଳ ଉପରକୁ ଉଠିଲା ପରି
ଦୁଃଖ ବି ମଗଜକୁ ଉଠିଯାଏ
ବେକାରି ଜୀବନକୁ
ଆବୁ କାବୁ କରିଯାଏ
ମନେ ମନେ କୂଳ କିନାରା
ନଥିବା ଉପାୟ କରିଚାଲେ
କେତେ ବେଳେ ନାକରେ ଶୁଷୁରି ପଡେ ।
କାଉର କା’ କା’ ଡାକରେ
ହିଁ ନିଦ୍ରା ଭଙ୍ଗ ହୁଏ
ଏବଂ ଦୁଃଖ ଦୁବାରା ଆସେ
ପାଖରେ ବସେ
କଥା କହେ
ଏବଂ ମଥାକୁ କରେ ଭାରି ।
ସମୟ ସାଗର ତୀରେ
ଜୀବନ ନୌକାରେ ଘୂରିବୁଲୁ ଆମେ
ଦୁଃଖକୁ କରି ଆହୁଲା
ସୁଖକୁ କରି ତରଙ୍ଗ
ପଚାରିଲେ କେହି ଆମେ ମୁରୁକି ହସି
କହିଦେଉ
ସବୁ ଭଲ ଆଉ ଖୁସିରେ ଅଛି
ମାତ୍ର ! ଭିତରୁ କି’ଏ ଜଣେ କହେ
ମିଛର ନଙ୍ଗର ପକେଇ
ଜୀବନ ଚାଲିଛି
ସଂଗ୍ରାମ ଚାଲିଛି
ଅସରନ୍ତି ଅଗଣିତ ଢେଉର ଧାରେ ଧାରେ ।