ସାବିତ୍ରୀ ଯେସନ ନାରୀ
ସାବିତ୍ରୀ ଯେସନ ନାରୀ
ସାବିତ୍ରୀ ବ୍ରତରେ ଶୁଣ ଗୋ ସତ୍ବରେ
ପୁରାଣ ଚରିତ ମର୍ମ
ପୁରୁଷ କି ନାରୀ ନୋହି ସ୍ବେଚ୍ଛାଚାରୀ
ଧର୍ମ ପଥେ ରହୁ କର୍ମ ।
ପତି ସତ୍ୟବ୍ରତୀ ଥିଲେ ସତ୍ୟବତୀ
ସାବିତ୍ରୀ ଯେସନ ନାରୀ
ହସି ଉଠେ ଘର ତେବେ କିମ୍ପା ନର
ହେଉଅଛ ଦୁରାଚାରୀ ?
ମିଥ୍ୟା ଦୁରାଚାର ରଜ୍ଜୁରେ ନାଚାର
ସମ୍ପର୍କର ସେତୁ ଏବେ
ହୃଦୟକୁ ଜୟ କରିବା ବି ଭୟ
ଆତ୍ମୀୟତା ନାହିଁ ଯେବେ ।
ସରିଯାଏ ଦିନ ହୃଦୟ ବିହୀନ
କାରାଗାରେ ହୋଇ ବନ୍ଦୀ
ମୁକୁଳା ବନ୍ଧନ ଭାବରେ କ୍ରନ୍ଦନ
କରେ କିଏ ମିଛେ ଛନ୍ଦି ।
ଖୋଜୁଥାଏ ମନ ସଙ୍ଗତିର ଧନ
ପସନ୍ଦର ସାଥୀ ଜଣେ
ବାହି ଦେହ ରଥ ଚଳେ କିଛି ପଥ
ମନେ ଥୋଇ ଆଶା ପଣେ ।
ଭାବର ଦ୍ରବଣ ନହେଲେ ସ୍ରବଣ
ନିରର୍ଥକ ପରିବାର
ବୁଝାମଣା ବିନା ବ୍ୟର୍ଥ ହୁଏ ସିନା
ତ୍ୟାଗ ଯେତେ କରିବାର ।
ଦେବାରେ ଯେ ସୁଖ ନବୁଝିଲେ ଦୁଃଖ
କ୍ଷଣିକ ଆବେଗ ସେତୁ
ଭୁଷୁଡି ପଡଇ ବିଭେଦ ବଢଇ
ସମ୍ବନ୍ଧେ ତିକ୍ତତା ହେତୁ ।