ସାଙ୍ଗ
ସାଙ୍ଗ
ସୁନେଲି କିରଣ ଆସେ କଅଁଳ ଦୁବଘାସ ସହିତ ହାତ ମିଳାଏ
କାକର ଟୋପାର ହସ ନେଇ ଦୁଇ ସାଙ୍ଗ ହୋଇଯାଆନ୍ତି ଦୋସ୍ତିରେ ମସଗୁଲ ।
ମୃଦୁ ମଲୟ ମନ୍ଦ ମନ୍ଦ ବୋହିଚାଲେ ଗଛ ପତ୍ର ଫୁଲ ଫଳରେ
ସୁବାସରେ ସୁରୋଭିତ ହୋଇ ସାଙ୍ଗବୃନ୍ଦ ଖେଳିଯାଆନ୍ତି ବାଦଲେ ଗଗନେ ।
ସନ୍ଧ୍ୟା ଆସେ ସାଙ୍ଗ ହେବାକୁ ଘଣ୍ଟ ଘଣ୍ଟା ଆଳତି ସହିତ
ଭଜନ ଜଣାଣ କିର୍ତ୍ତନର ତାଳେ ତାଳେ ଭୂଲିଯିବାକୁ
କାଳସୀ ଅନ୍ଧକାର ।
ବିଭାବରୀର ରୁଣୁଝୁଣୁ ଝଙ୍କାରରେ ନର ନାରୀ ହୁଅନ୍ତି କାମାତୁରା
ଜୀବନ ଦୀପରେ ଦିଅନ୍ତି ପ୍ରେମର ସଳିତା
ଦେହ ମନ ପ୍ରାଣ ଦେଇ ଫିସ ଫିସ କ’ଣ କୁହନ୍ତି
ପୁଣି ସବୁ ଚୁପ ଚାପ ।
ଦିଶା ହରା ଆଶା ହରା ପଥିକ ମୁଁ
ଖୋଜିବୁଲେ ସାଙ୍ଗ ଜଣେ
ଆଶାଦେବ ଦିଶାଦେବ
ଅସୁମାରି ସ୍ଵପ୍ନକୁ ମୋର
ସ୍ନେହରେ ପୋଛିଦେବ ମୋର କପାଳରୁ
ଚିନ୍ତା-ଝାଳ
କର ମର୍ଦନ ପରେ
ସୁଖ ଦୁଃଖର ପେନ୍ଥାକୁ ଆଶାର
ସୂତାରେ ଗୁନ୍ଥିଦେବ
ହସମୁଖା କଳାକାର ହୋଇ
ହାଏ ! ମୁଁ ଖୋଜି ବୁଲୁଛି ସକ୍ରେଟିସ ପରି
ଦିନରେ ଲଣ୍ଠନ ନେଇ ।