ଆହେ ଭାବଗ୍ରାହୀ
ଆହେ ଭାବଗ୍ରାହୀ
ରତ୍ନ ସିଂହାସନେ କେମିତି ବସିଛ,
ଆହେ ପ୍ରଭୁ ଭାବଗ୍ରାହୀ ।
ଦୁଃଖୀ ଦୁଃଖ ଦେଖି କେମିତି ସହୁଛ,
ଦେଉଳ ଭିତରେ ରହି ।
ପଥର ପରି ଏ ମଉନତା କାହିଁ,
ଆଜ ଏ ବିପଦ କାଳେ ।
ପ୍ରାଣ ଛଟପଟ, ମୃତ୍ୟୁ କରେ ନାଟ,
କେଉଁ ପାପ ଭାର ବଳେ ।
ଭକତର ଦୁଃଖ ଶୁଣିବନି ବୋଲି,
ଦେଉଳକୁ କଲ ମନା ।
ଛାତିଏ କୋହରେ ଅନ୍ତର ଭରିଛି,
କାହାକୁ କହି ହୁଏନା ।
ଦେଉଳ ଶିଖରୁ ଉଡିଯାଏ ନେତ
କି ଅବା ସଂକେତ ଦିଅ ।
କାଳ ଛଞ୍ଚାଣଟା ବୁଲେ ଚଉଦିଗେ,
କା' ପାଇଁ ନୀରବ କୁହ ।
ଲୁହ ଛଳଛଳ ଭକତର ଆଖି,
କଣ୍ଠୁ ନ ସ୍ଫୁରେ ଶବଦ ।
ତୁମ୍ଭ ବିନୁ ଆଉ ନାହିଁ ଆନ ଗତି,
ତୁମ୍ଭେ ଭକ୍ତ ଭକ୍ତିନାଦ ।
ବେଳୁ ବେଳ ସ୍ଥିତି ହେଉଛି ଗମ୍ଭୀର,
ଶୁଣ ଆହେ ଚକ୍ରପାଣି ।
ଗୋଟେ ଭକତର କୋଟି ଭକତିରେ,
ତୁମ ଭାବ ନିଏ ଟାଣି ।
ତୁମ୍ଭ ଶଙ୍ଖନାଦ ବାଜୁ ଚଉଦିଗ,
କ୍ଷୟ ହେଉ ଯେତେ ପାପ ।
ନେଇ ଅବତାର କର ହେ ଉଦ୍ଧାର,
ପୂଣ୍ୟ ହେଉ ଏ ଜଗତ ।