ଜୀବନ୍ତ ମୃତ୍ୟୁ
ଜୀବନ୍ତ ମୃତ୍ୟୁ
ସମୟର ଏକ ଦୀର୍ଘ ଅନ୍ତରାଳ
ମନରେ ସ୍ମୃତିର ଉତଂଗ ଜୁଆର
ଗୋଟାଇ ଆଣିବି ପୁଳା ପୁଳା ସ୍ମୃତି
ମୋ ଗାଁ ମାଟି ଏତ ମାଟି ଚନ୍ଦନର ।
ସାଉଁଟୁ ସାଉଁଟୁ ସ୍ମୃତି ଆତୀତର
ଶୁଣାଗଲା ଏକ ବିକଟ ଚିତ୍କାର
ଦୂରୁ ଦୃଶ୍ୟମାନ ହେଉଥିଲା ତାହା
ଆଖି ଥିଲା ସାକ୍ଷୀ ଜୀବନ୍ତ ମୃତ୍ୟୁର ।
ଶୁଣୁଥିଲା କର୍ଣ୍ଣ ନୀରବ ଚିତ୍କାର
ଚକ୍ଷୁ ପିଉଥିଲା ନୀରବେ ଜହର
ସବୁ ଦେଖେ ଶୁଣେ ଏ ସଭ୍ୟ ସମାଜ
ସବୁଜାଣି ପୁଣି ଥାଏ ନିରୁତ୍ତର ।
ମୋ ସ୍ମୃତିର ସିଏ ମୁଖ୍ୟ କଳାକାର
ଆଦରୁ ଥିଲାସେ ନୀରବ ମୃତ୍ୟୁର
ସିଏ ଆଉ ପରା ଅନ୍ୟ କେହି ନୁହେଁ
ନାଁଭାଲୁ ପାହାଡ ମୋ ଗାଁ ମୁଣ୍ଡର ।
ଗ୍ରାହକ ଥିଲା ସେ ନୀରବ ମୃତ୍ୟୁର
ବ୍ୟାଧିଗ୍ରସ୍ତ ପରି ଅବସ୍ଥା ତାହାର
ଖିନ୍ ଭିନ୍ କରି ବିଜ୍ଞାନର ଯନ୍ତ୍ର
କାଟିଦେଉଥାଆନ୍ତି ତା ଶକ୍ତ ଶରୀର ।
ହରିତ ବସ୍ତ୍ରଟା ଲୁଣ୍ଠିତ ଯାହାର
ରକ୍ତେ ଜଡୁବଡୁ ସତେକି ଶରୀର
ବିଜ୍ଞାନ ହସୁଛି ଦେଖାଇ ବଡିମା
ପ୍ରକୃତି କାନ୍ଦଇ ବୁହାଇ ସଲିଳ ।
ଅଶ୍ରୁ ଦୁଇ ଟୋପା ପଡେ ଝରଝର
ମେଣ୍ଟିଯାଏ ତୃଷ୍ଣା ସେ ରାଜପଥର
ହଠାତ୍ ଲାଗିଲା ସତେ ପାଦତଳେ
ସ୍ପନ୍ଦିତ ହୁଏ ହୃଦୟ କାହାର ।
ସ୍ପନ୍ଦନଟା ଥିଲା ସେ ଅଭିନେତାର
ଯିଏ ମୋ ସ୍ମୃତିର ମୁଖ୍ୟ କଳାକାର
ଶ୍ରୀହୀନ ମୁଖରେ ଦୂରୁ ପଚାରେସେ
ଶୁଣିକି ପାରୁଛ ସ୍ପନ୍ଦନ ମୋହର ।
ଅତୀତ ପୃଷ୍ଠା ମୁଁ ହେବି ସମୟର
ତା ଆଗରୁ ଦେବି ମୁଁ ମୋ ଏ ଶରୀର
ହସିବ ବିଜ୍ଞାନ ମୋର ପରାଜୟେ
ସାଧିବ ଉନ୍ନତି ସ୍ବାର୍ଥି ମଣିଷର ।
ମୁଣ୍ଡ ଫଟା ଖରା ତପ୍ତ ବୈଶାଖର
ନୃତ୍ୟର ମୂର୍ଚ୍ଛନା ଝାଞ୍ଜି ପବନର
ଏପଟେ ପ୍ରଗତି ସେପଟେ ପ୍ରକୃତି
ଅଟ୍ଟହାସ୍ୟ ଗୁଞ୍ଜେ ସର୍ବତ୍ର ମୃତ୍ୟୁର ।
ଜୀବନ୍ତ ମୃତ୍ୟୁକୁ ଦେଖି ପାହାଡର
ବେସାହାରା ପଶୁ ନୀଡ ପକ୍ଷୀକଂର
ଦୀର୍ଘ ଏକ ଶ୍ବାସ ବାହାରି ଆସିଲା
ସାକ୍ଷୀ ଯାହାମୁଁ ଖାଲି ଜୀବନ୍ତ ମୃତ୍ୟୁର ।