କୋଉଠି ରହିବା ଆମେ ?
କୋଉଠି ରହିବା ଆମେ ?
ଅଫିସି ଫେରନ୍ତି ଘରଣୀ କହିଲେ,
“ଶୁଣୁଛ କି ଲତାବାପା
ଲତାକୁ ଆମର ବାଇଶି ପୂରିଲା
କର ଏବେ ପୁଅ ଦେଖା ।
ପୁଅଟିଏ ଦେଖ ରୂପର, ଗୁଣର
ଥିବ ତା’ ବଡ ଚାକିରି
ଲତାକୁ ମୋହର ରଖିବ ସୁଖରେ
କରିବନି ହତଶିରି !
ବଢିଛି ଗେହ୍ଲାରେ ଲତାଟି ମୋହର
ଜାଣିନାହିଁ କାମ ଦାମ
ପୁଞ୍ଜାଏ ଚାକର ଥିବା ଘର ଦେଖ
ମିଳିବ ତାକୁ ଆରାମ !
ବାପ ମା’ଙ୍କ ଦାଉ ନଥିବ ତ ଭଲ
ରହିବ ଲତା ମଉଜେ
ଭାଇ ଭଗାରିଆ ନଥିବେ ଯଦି ତ
ବାହା କରିଦେବା ଏବେ !
ଆମ ଯୁଗେ ସିନା ଚଳୁଥିଲା ସବୁ
ବାପା ଦେଲେ ଆଖି ବୁଜି
ମୋ ଲତା ପାଇଁକି ସେପରିକା ଦୁଃଖ
ଦେବ ନାହିଁ ଖୋଜି ଖୋଜି ।
ତୁମ ପରି ଜୋଇଁ ଦରକାର ନାହିଁ
ଲୁହ ଢାଳିବ ମୋ ଝିଅ
ମୋର ଦିନ କାଳ ସରିଗଲା ସିନା
ନଝରୁ ତା’ ଆଖିଲୁହ !
ତୁମ ହାତ ଧରି କାନ୍ଦି ମରିଛି ମୁଁ
ପାଇନାହିଁ କେବେ ସୁଖ
ଲଗେଇ ପିନ୍ଧିବା ବୟସେ ପାଇଛି
ଜୀବନ ଯାକର ଦୁଃଖ !
ସିନେମା ଯାତରା ଜାଣିନାହିଁ କିଛି
ନପାଇଛି ଶାଢି ଗହଣା
ଭଲହେଲା ବୋଉ ମରିଗଲା ଆଗ,
ନଦେଖିକିକି ଝିଅ ଗଞ୍ଜଣା ।
ସତ କରି କୁହ, ନେଇଛ କି କେବେ
ଶରଧାରେ ହାତ ଧରି
ତୁମ ସାଙ୍ଗସାଥି ବୁଲୁଥିବା ବେଳେ
ରହିଛି ମୁଁ ମନମାରି ।
କରିଥିଲି ବୋଲି ମାଟିରିକି ପାସ୍
ବାପା ହେଇଥିଲେ ଖୁସି
ଭାବିଥିଲେ ବଡ ଚାକିରି କରିକି
ବଉଁଶ ଦେବି ମୁଁ ପୋଷି
ଏରୁଣ୍ଡି ବନ୍ଧକୁ ନଡେଇଁ ଧରିଲି
ଡଙ୍କି କରଚୁଲି ଖଡିକା
ପାଣିଚା ପିରତୀ ଦେଖି ସହି ତୁମ
ବାଳ ପାଚି ହେଲା ସଫା ।
ନଣନ୍ଦ ଦିଅର, ଶାଶୁ ଶ୍ୱଶୁରରେ
ରହିଥିଲା ଘର ଭରି
ତାଙ୍କରି ସେବାରେ ଯୁବା ବୟସର
ସ୍ୱପ୍ନ ସବୁ ଗଲା ସରି ।
ମନେ ଭାବିଥିଲି ସ୍ୱାମୀଙ୍କୁ ମୋହର
ରଖିବି ହାତ ମୁଠାରେ
ଏମିତି କିମିଆ କରି ଦେଇଥିବି
ବୁଡି ରହିବେ ମୋ ପ୍ରେମରେ ।
ଜାଣି ତ ନଥିଲି ଏତେ ଖେଣ୍ଟା ଲୋକ
ମୋ ଜୀବନେ ଥିଲା ଲେଖା
ଫାଇଲି କାଗଜ ଭିତରେ ଯାହାର
ଦିନରାତି ହୁଏ ଏକା।
ଯେଉଁ ରୂପ ଦେଖି ଗାଁ ଟୋକାଯାକ
ହଉଥିଲେ ଦିନେ ବାଈ
ଶରଧାରେ କେବେ ନକହିଛ ପଦେ
ତାକୁ ହାତମୁଠେ ପାଇ ।
ଏମିତିଆ ଜୋଇଁ କରିବନି ବୋଲି
କହି ଦଉଛି ମୁଁ ଆଗରୁ
ନହେଲେ ଦଉଡି ଦେବି ନିଜ ବେକେ
ଝିଅ ବାହାଘର ପୂର୍ବରୁ ।“
ଗଳା ଖଙ୍କାରିକି ସଫା କଲେ ବାବୁ
କଲେ ଇଷ୍ଟଦେବେ ପ୍ରଣାମ
ମଉକା ଆସିଛି ହାତକୁ ଆଜି ତ
କରିବେ କାମନା ପୂରଣ ।
ଦୀର୍ଘ ବର୍ଷ ଧରି ଶୁଣିଛନ୍ତି ଖୁଣ୍ଟା
ଆଖି କାନ ନାକ ବୁଜି
ପୁଅ ବାହାଘର ବାହାନା କରିକି
ଓଗାଳିବେ ସବୁ ଆଜି ।
କହିଲେ ପ୍ରେମରେ, “ଶୁଣ ପ୍ରିୟତମା
ଝିଅ କଥା ରହୁ ପଛକୁ
ବାହା ହେବା ପାଇଁ ଠିକ୍ କରିଲାଣି
ତୁମ ପୁଅ ନିଜ ମନକୁ ।
ଆଣିଥିଲା ସେଇ ଝିଅକୁ ପାଶେ ମୋ
ହେବାକୁ କଥା ତା’ ସାଙ୍ଗରେ
ରୂପର ଗୁଣର ଅଟେ ସିଏ ପୁଣି
କରୁଛି କାମ ତା’ ସାଥିରେ ।
କହିଅଛି ବାହା ନହୋଇ ପାରିଲେ
ଖାଇଦେବ ବିଷ ଜହର
କହିବି କିସ ମୁଁ ସେ ଗେହ୍ଲାପୁଅକୁ
ଭାବି ବଢିଗଲା ପ୍ରେସର ।
ରାଜି ହେଇଗଲି କଥାରେ ତାହାର
କହିଲି କରିବୁ ସ୍ୱୀକାର
ଝିଅ କିନ୍ତୁ ବାହା ପୂର୍ବରୁ ରଖିଛି
ସରତ ଜମାରୁ ଏଗାର ।
ରହିବନି ସିଏ ସେଇ ଘରେ ଯହିଁ
ଅଛନ୍ତି ଶାଶୁ କି ଶ୍ୱଶୁର
ନଣନ୍ଦ ଥିବ ତ ପାଦ ଥୋଇବନି
କେବେ ସେ ଘରର ଭିତର ।
ରହିବ ସେ ଏକା ସ୍ୱାମୀ ପାଖେ ତା’ର
ରଖିବ ଦି’ଅଣ୍ଡା ଚାକର
ଘରକାମ ସୁଖ ଲାଗେ ନାହିଁ ବୋଲି
କାମ କରେ ଅଫିସିର ।
ଯଉତୁକ କଥା ଉଠିବନି ଜମା
ବୁଲେଇ ବଙ୍କେଇ କରି
କେବେ ଯଦି କଥା ଛଳେ ବି କହିବ
ଦେବ ସେ ହାଜତେ ଭରି ।
ଆହୁରି ବି ଅଛି କେତେ କେତେ କଥା
କହିବ ତ ଦେବି ବୁଝେଇ
ପରେ ମତେ କେବେ ଦୋଷ ଦେବନାହିଁ
ଜାଣି ସବୁ ଥିଲି ଲୁଚେଇ !”
ଗର୍ଜନ କରିକି ଲତାବୋଉ ଦେଲେ ଗଗନ ପବନ ଥରେଇ
“କିଏ ମ ସେ ଝିଅ, ଏଡେ ସୁଆଗିଆ
ଚିକିଣିଆ କଥା କୁହଇ !
କେତେ କଷ୍ଟକରି ପାଠ ପଢେଇକି
ପୁଅକୁ ମଣିଷ କରିଛି
ମାଗଣାରେ ହାତୁ ଛାଡିଦେବି ବୋଲି
ଏମିତି କେମିତି ଭାବୁଛି ?
ବୋହୂ ହାତରନ୍ଧା ଖାଇବନି ଝିଅ
ନପାଇବା ଆମେ ସେବା
ତେବେ କେଉଁ ସୁଖେ, ପୁଅକୁ ଆମର
ତା’ ହାତକୁ ଟେକିଦେବା ?
ନଉଠି କେମିତି ଯଉତୁକ କଥା
କହୁଛ ତୁମେ ରହିବ
ପୁଅ ପାଇଁ ଯେତେ ଖର୍ଚ୍ଚ ହେଇଅଛି
କିଏସେ ତାକୁ ଭରିବ ?
ଭାଇ ଭଗାରିଆ ଚାହିଁଛନ୍ତି ଏଠି
କରିବାକୁ ବଦନାମ
ଏମିତି କେମିତି ବୋହୂ କରିନେବି
ନଜାଣିକି ଜାତିଧର୍ମ ?
ଚାକିରି କରୁ କି ଫେସନ କରୁ ସେ
ହୋଇକି ବୋହୂ ରହିବ
ଏ ଘର ମର୍ଯ୍ୟାଦା ଓଢଣା ଟାଣିବା
ତାକୁ ଶିଖିବାକୁ ପଡିବ ।
ଘରଭଙ୍ଗା କଥା ଶିଖେଇବନି ମୋ
ପୁଅକୁ, କହୁଛି ଆଗରୁ
ନହେଲେ ତଣ୍ଟିଆ ମାରି ତଡିଦେବି
କହିଦିଅ ତାକୁ ଏବରୁ ।
କେଡେ ଯତନରେ ପୁଅ ପାଳିଛି ମୁଁ
କଣ୍ଟା ଝଣ୍ଟା ସବୁ ସହି
କାଲିକା ଝିଅଟା ଆସିକି କେମିତି
ମୋ ଠାରୁ ନେବ ଛଡେଇ !”
ହସିଦେଇ ବାବୁ କହିଲେ, “ଶୁଣ ମୋ
ପୁଅଝିଅଙ୍କର ବୋଉ
ତୁମେ କ’ଣ ଖାଲି ଏକା ପୁଅ ମାଆ
ନାହିଁ କି କାହାର ଆଉ ?
ଆସିଥିଲ ତୁମେ ଦିନେ ବୋହୂ ହୋଇ
ଭୁଲି ଯାଇଛ କି ଆଜି
ଯେତେ ଘରଭଙ୍ଗା କଥା ଶିଖେଇଛ
ମନେ ରଖିଛି ମୁଁ ସାଜି ।
ନିଜ ଝିଅ ପାଇଁ ଦେଖ ଯେଉଁ ସୁଖ
ବୋହୂ ପାଇଁ କାହିଁ ନୁହେଁ
ଇଏ କ’ଣ ଖାଲି ତୁମ ଝିଅ ଅଟେ
ସିଏ କି କାହାର ନୁହେଁ ?
ତା’ର ବୋଉ ଯଦି ସେସବୁ ଭାବିବ
ଯାହା ଅଛ ଭାବି ତୁମେ
ତେବେ କୁହ ତୁମେ ପ୍ରିୟତମା ମୋର
କୋଉଠି ରହିବା ଆମେ ?”